Categories: ଜାତୀୟ

ଶିବସେନାରେ ବିଦ୍ରୋହ ମଧ୍ୟରେ ଏମ୍‌ଭିଏର ମନ୍ଥନ: ମୁଖ୍ୟମନ୍ତ୍ରୀ ଡକାଇଲେ ଉଚ୍ଚସ୍ତରୀୟ ବୈଠକ

ମୁମ୍ବାଇ,୨୨।୬: ଏକନାଥ ସିନ୍ଦେଙ୍କ ବିଦ୍ରୋହୀ ମନୋଭାବ ଯୋଗୁ ବର୍ତ୍ତମାନ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବର୍ତ୍ତମାନ ଉଦ୍ଧବ ସରକାରଙ୍କ ଉପରେ ଘାରିଥିବା ସଙ୍କଟକୁ ଦୃଷ୍ଟିରେ ରଖି ମହା ବିକାଶ ଅଘାଡି(ଏମଭିଏ)ର ସହଯୋଗୀ ଦଳ ଏବେ ଆକ୍ସନମୁଡରେ ଆସିଯାଇଛି। ଇତିମଧ୍ୟରେ ବୁଧବାର ଦିନ ୧ଟାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ମହାରାଷ୍ଟ୍ର କ୍ୟାବିନେଟର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏହି ସଙ୍କଟକୁ ନେଇ ଏନ୍‌ସିପି ମୁଖ୍ୟ ଶରଦ ପାୱାର ମଧ୍ୟ ଉଦ୍ଧବ ଠାକରେଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ଏତଦ୍‌ ବ୍ୟତୀତ ଶରଦ ପାୱାର ମଧ୍ୟ ବୁଧବାର ଏନ୍‌ସିପି ବିଧାୟକଙ୍କ ସହ ଏକ ବୈଠକ କରିବେ। ଏଥିସହ ମହାରାଷ୍ଟ୍ର କଂଗ୍ରେସ ବିଧାୟକଙ୍କ ସହିତ ମଧ୍ୟ ଏକ ବୈଠକ କରାଯିବ ବୋଲି ସୂଚନା ରହିଛି। ଅନ୍ୟପଟେ ମହାରାଷ୍ଟ୍ର କଂଗ୍ରେସର ଏହି ବୈଠକରେ ସଞ୍ଜୟ ରାଉତ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ରହିବେ। ମହାରାଷ୍ଟ୍ର ସଙ୍କଟ ମଧ୍ୟରେ ଶିବସେନା ନେତା ସଞ୍ଜୟ ରାଉତ ଏକନାଥ ସିନ୍ଦେଙ୍କ ବିଦ୍ରୋହକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ନେତାଙ୍କ ଉପରେ ଚାପ ପକାଇବା ପାଇଁ କେନ୍ଦ୍ର ସରକାର ସରକାରୀ ଏଜେନ୍ସି ବ୍ୟବହାର କରୁଛନ୍ତି।

Share