Categories: ଜାତୀୟ

ଏମ୍‌ଭିଏର ବିଶାଳ ପ୍ରତିବାଦ ଶୋଭାଯାତ୍ରା

ମୁମ୍ବାଇ,୨ା୯: ସିନ୍ଧୁଦୁର୍ଗର ମାଲ୍‌ଭାନଠାରେ ଛତ୍ରପତି ଶିବାଜୀଙ୍କ ୩୫ ଫୁଟ୍‌ ଉଚ୍ଚ ପ୍ରତିମୂର୍ତ୍ତି ଭୁଶୁଡ଼ି ପଡ଼ିବା ଘଟଣାରେ ରବିବାର ମହାରାଷ୍ଟ୍ରର ବିରୋଧୀ ମେଣ୍ଟ ମହା ବିକାଶ ଅଘାଡ଼ି (ଏମ୍‌ଭିଏ) ପକ୍ଷରୁ ମୁମ୍ବାଇରେ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ‘ଜୋତେ ମାରୋ’ ବିକ୍ଷୋଭରେ ଏମ୍‌ଭିଏର ଶୀର୍ଷ ନେତା ଶରଦ ପାଓ୍ବାର, ଉଦ୍ଧବ ଠାକ୍‌ରେ, ନାନା ପାଟୋଲଙ୍କ ସମେତ ହଜାର ହଜାର କର୍ମୀ ଯୋଗଦେଇ ଗେଟ୍‌ଓ୍ବେ ଅଫ୍‌ ଇଣ୍ଡିଆ ପର୍ଯ୍ୟନ୍ତ ଯାଇଥିଲେ। ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାରେ ବିରୋଧୀ ନେତାମାନେ କେନ୍ଦ୍ର ସରକାରଙ୍କୁ ନିନ୍ଦା କରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମା ମାଗିବା ତାଙ୍କର ଅହଂକାରକୁ ସୂଚାଉଛି ବୋଲି ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକ୍‌ରେ କହିଛନ୍ତି। ମୂର୍ତ୍ତି ଭୁଶୁଡ଼ିବା ଦୁର୍ନୀତିର ଏକ ଦୃଷ୍ଟାନ୍ତ ବୋଲି ଏନ୍‌ସିପି (ଏସ୍‌ପି) ନେତା ଶରଦ ପାଓ୍ବାର କହିଛନ୍ତି।
ରାଜକୋଟ୍‌ ଫୋର୍ଟଠାରେ ସପ୍ତଦଶ ଶତାବ୍ଦୀର ମରାଠା ଶାସକ ଶିବାଜୀଙ୍କୁ ପ୍ରତିମୂର୍ତ୍ତିକୁ ଗତବର୍ଷ ଡିସେମ୍ବର ୪ରେ ପ୍ରଧାନମନ୍ତ୍ରୀ ମୋଦି ଅନାବରଣ କରିଥିଲେ। ଗତ ୨୬ ତାରିଖରେ ଏହା ଭୁଶୁଡ଼ି ପଡ଼ିଥିଲା। ଗେଟ୍‌ଓ୍ବେ ଅଫ୍‌ ଇଣ୍ଡିଆଠାରେ ସମାବେଶକୁ ଉଦ୍‌ବୋଧନ ଦେଇ ଠାକ୍‌ରେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ କ୍ଷମା ମାଗିବା ଘଟଣାରୁ ତାଙ୍କ ଅହଂକାର ସ୍ପଷ୍ଟ ବାରି ହେଉଛି। ସେହି ସମୟରେ ଜଣେ ଉପମୁଖ୍ୟମନ୍ତ୍ରୀ ହସୁଥିଲେ। ଶିବାଜୀଙ୍କ ପ୍ରତି ଅପମାନ ପାଇଁ ମହାରାଷ୍ଟ୍ର ଜନସାଧାରଣ କଦାପି କ୍ଷମା ଦେବେ ନାହିଁ। ଶାସକ ଦଳକୁ ପରାଜିତ କରିବା ପାଇଁ ଏମ୍‌ଭିଏ କ୍ୟାଡରମାନେ ଏକାଠି କାର୍ଯ୍ୟ କରିବେ ବୋଲି ଉଦ୍ଧବ କହିଛନ୍ତି। ଅଯୋଧ୍ୟା ରାମମନ୍ଦିର ଏବଂ ନୂଆ ପାର୍ଲାମେଣ୍ଟ କମ୍ପ୍ଲେକ୍ସରୁ ପାଣି ଗଳିବା ମୋଦିଙ୍କ ଗ୍ୟାରେଣ୍ଟି ବୋଲି ଉଦ୍ଧବ ତାଚ୍ଛଲ୍ୟ କରିଛନ୍ତି।
ସୂଚନାଯୋଗ୍ୟ, ଗତ ଶୁକ୍ରବାର ପ୍ରଧାନମନ୍ତ୍ରୀ ପାଲ୍‌ଘର ଯାଇଥିବାବେଳେ ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାରେ କ୍ଷମା ମାଗିଥିଲେ। ତେବେ ଏଭଳି ଶିବଦ୍ରୋହୀ (ଶିବାଜୀଙ୍କ ନୀତିକୁ ବିରୋଧ କରୁଥିବା ନେତା) ମାନଙ୍କୁ କ୍ଷମତାରେ ରହିବା ନିମନ୍ତେ ଅନୁମତି ଦେଇଥିବା ଛତ୍ରପତିଙ୍କ ନିକଟରେ ବିରୋଧୀ ନେତାମାନେ ପୂର୍ବରୁ କ୍ଷମା ମାଗିଥିଲେ ବୋଲି କଂଗ୍ରେସ ନେତା ନାନା ପାଟୋଲ କହିଛନ୍ତି।

Share