ପଥ ଉତ୍ସବରେ ମିଳିବନି ‘ମୋ ସାଇକେଲ’

ଭୁବନେଶ୍ୱର, ୨୨।୧୨ (ବନ୍ଦନା ସେଠୀ): ଆସନ୍ତା ୨୪ ତାରିଖ ରବିବାରଠାରୁ ସ୍ମାର୍ଟସିଟି ଭୁବନେଶ୍ୱରରେ ପୁଣି ଆରମ୍ଭ ହେବ ‘ପଥ ଉତ୍ସବ’। ଶୀତୁଆ ସକାଳରେ ସହରବାସୀ ନାଚଗୀତଠାରୁ ଆରମ୍ଭ କରି ସ୍କେଟିଂ, ମ୍ୟାଜିକ୍‌ ଶୋ’ ଭଳି ବିଭିନ୍ନ କାର୍ଯ୍ୟକ୍ରମର ମଜା ଉଠାଇବେ। ମାତ୍ର ଯଦି ଆପଣ ପଥଉତ୍ସବରେ ସାଇକ୍ଲିଂର ମଜା ନେବାକୁ ଚାହୁଁଥାନ୍ତି, ତେବେ ନିଜ ଘରୁ ସାଇକେଲ ନେଇକି ଆସିବାକୁ ପଡିବ। ଆଉ ଯଦି ‘ମୋ ସାଇକେଲ’ ଭରସାରେ ଅଛନ୍ତି ତେବେ ଆପଣଙ୍କୁ ନିରାଶ ହେବାକୁ ପଡିବ। କାରଣ କୋଟିକୋଟି ଟଙ୍କାରେ କିଣାଯାଇଥିବା ମୋ ସାଇକେଲ୍‌ଗୁଡିକ ମଧ୍ୟରୁ ଅଧିକାଂଶ ଅଚଳ ଅବସ୍ଥାରେ ପଡିଛି। କାହାର ସିଟ୍‌ ନାହିଁ ତ ଆଉ କାହାର ବ୍ରେକ୍‌ ତାର ଛିଡି ତଳେ ପଡିଛି। ଏଭଳି ଅଚଳ ସାଇକେଲକୁ ନେଇ ବିଏମ୍‌ସି କିମ୍ବା ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ଲୋକଙ୍କ ପାଖରେ ନିଜର ଛବି ମଳିନ କରିବାକୁ ଚାହୁଁନାହିଁ। ତେଣୁ ମୂଳୁ ମାରିଲେ ଯିବ ସରି ପନ୍ଥା ଆପଣାଇ ସାଇକ୍ଲିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରୁ ନ ଥିବା ଜଣାପଡିଛି।
ସ୍ମାର୍ଟସିଟି ରାଜଧାନୀକୁ ପ୍ରଦୂଷଣମୁକ୍ତ କରିବା ସହିତ ସାଇକେଲ ପ୍ରତି ଲୋକଙ୍କ ଆଗ୍ରହ ସୃଷ୍ଟି ଉଦ୍ଦେଶ୍ୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ୨୦୧୮ରେ ଆରମ୍ଭ ହୋଇଥିଲା ‘ମୋ ସାଇକେଲ’ ଯୋଜନା। ବିଭିନ୍ନ ନାମୀଦାମୀ କମ୍ପାନୀର ରଙ୍ଗବେରଙ୍ଗର ସାଇକେଲ ସହରର ଛକ ଓ ବଜାର ଅଞ୍ଚଳରେ ଶୋଭାପାଉଥିଲା। ମାତ୍ର କିଛିଦିନ ଭିତରେ ହିଁ ରାଜଧାନୀବାସୀ ମୋ ସାଇକେଲ୍‌ରୁ ମୁହଁ ଫେରାଇ ନେଇଥିଲେ। ପରେ ମୋ ସାଇକେଲ୍‌ର ଲୋକପ୍ରିୟତା ବଢାଇବାକୁ ରାହାଗିରି ବା ପଥ ଉତ୍ସବରେ ସାଇକ୍ଲିଂ ବ୍ୟବସ୍ଥା କରାଯାଇଥିଲା। ଏହା ସେତେବେଳେ ପଥୋତ୍ସବର ମୁଖ୍ୟ ଆକର୍ଷଣ ହେବା ସହ ବିଏମ୍‌ସି ଓ ବିଏସ୍‌ସିଏଲ୍‌ ସାଇକେଲ ଚାଳନାକୁ ସର୍ବାଧିକ ଗୁରୁତ୍ୱ ଦେଇଥିଲେ। କରୋନା ମହାମାରୀ ପାଇଁ ୩ବର୍ଷ ଧରି ପଥଉ ତ୍ସବ ବନ୍ଦ ରହିବା ପରେ ୨୦୨୨ରେ ସେହି ଉତ୍ସାହ ନେଇ ପୁଣିଥରେ ଫେରିଥିଲା। ମାତ୍ର ସେତେବେଳକୁ ଆଉ ‘ମୋ ସାଇକେଲ’ ଚାଲିବା ଅବସ୍ଥାରେ ନ ଥିଲା। ତେଣୁ ସାଇକେଲ ଚଳାଇବାକୁ ମନ ବଳାଇଥିବା ଲୋକେ ଏହାର ଲାଭ ଉଠାଇ ନ ପାରି ମୋ ସାଇକେଲ୍‌କୁ ଝୁରିଥିଲେ। ଆଶା ଥିଲା ଯେ ଚଳିତ ବର୍ଷ ସହରବାସୀଙ୍କୁ ‘ମୋ ସାଇକେଲ’ ଚଳାଇବାକୁ ସୁଯୋଗ ମିଳିବ। ମାତ୍ର ଏଥର ମଧ୍ୟ ସମାନ ଅବସ୍ଥା ହେବ। କାରଣ ପଥଉତ୍ସବରେ ମୋ ସାଇକେଲର କୌଣସି ବ୍ୟବସ୍ଥା ନ ଥିବା ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ସହରରେ ଅଧିକାଂଶ ଲୋକଙ୍କର ନିଜର ସାଇକେଲ ଅଛି, ତେଣୁ ସେମାନେ ନିଜ ନିଜ ସାଇଲେ ଆଣି ଚଲାଇ ପାରିବେ। ଏଥିପାଇଁ ରେଜିଷ୍ଟ୍ରେଶନ ଆରମ୍ଭ ହୋଇଛି। ତେଣୁ ମୋ ସାଇକେଲ୍‌ର କୌଣସି ଆବଶ୍ୟକତା ନାହିଁ ବୋଲି କମିଶନର ଅଜବ ଯୁକ୍ତି ବାଢିଛନ୍ତି। ସହରରେ ଏବେ କେତେ ମୋ ସାଇକେଲ ତାହା ମନେ ନ ଥିବାବେଳେ ସବୁ ସାଇକେଲ ପ୍ରାୟ ଭଲ ଅବସ୍ଥାରେ ଥିବା କହିଛନ୍ତି। ତେବେ ପୂର୍ବାପେକ୍ଷା ଏବେ ଖୁବ୍‌କମ୍‌ ଲୋକ ମୋ ସାଇକେଲ ବ୍ୟବହାର କରୁଥିବାରୁ ଏଭଳି ଅବସ୍ଥା ହେଉଥିବା କମିଶନର କହିଛନ୍ତି।

Share