
ଆନନ୍ଦପୁର,୧୬ା୪(ସୁଶାନ୍ତ କୁମାର ସାହୁ):ସେଦିନ ଥିଲା ଏପ୍ରିଲ ୧୬। ଅପରାହ୍ନ ସମୟରେ ହଠାତ୍ କଳାବାଦଲ ଆକାଶରେ ଘୋଟିଆସିଥିଲା। କେହି କିଛି ବୁଝିବା ପୂର୍ବରୁ ଚାହୁଁ ଚାହୁଁ ପ୍ରଳୟଙ୍କାରୀ ଘୂର୍ଣ୍ଣିଝଡ଼ର ରୂପନେଇ ସବୁକିଛି ଛାରଖାର କରିଦେଇଥିଲା। ଘୂର୍ଣ୍ଣିଝଡ଼ ଏତେ ଭୟଙ୍କର ଥିଲା ଯେ, ଘଟଣାରେ ୧୭୮ ଜଣଙ୍କ ଜୀବନ ଯାଇଥିଲା। ନିମିଷକ ମଧ୍ୟରେ ସବୁ କିଛି ଉଜାଡ଼ି ଦେଇଥିଲା। ଏହାରି ମଧ୍ୟରେ ଏହାକୁ ୪୭ ବର୍ଷ ବିତିଯାଇଛି। ମାତ୍ର ଆଜି ବି ମେଘ ଉଠାଇଲେ ଗ୍ରାମବାସୀ ଭୟରେ ଥରୁଥିବା କହୁଛନ୍ତି।
ପ୍ରକାଶ ଯେ, କେନ୍ଦୁଝର ଜିଲା ଘସିପୁରା ବ୍ଲକ୍ ପୁରୁଣାବାନ୍ଧଗୋଡ଼ା ଗାଁରେ ୧୯୭୮ ଏପ୍ରିଲ ୧୬ ଅପରାହ୍ନ ୪ଟାରେ ଘୂର୍ଣ୍ଣିଝଡ଼ ହୋଇଥିଲା। ପ୍ରଥମେ ଆକାଶରେ କଳାବାଦଲ ଘୋଟିଆସିଲା। କ୍ରମଶଃ ଏହା ଘନୀଭୂତ ହୋଇ ଘୂର୍ଣ୍ଣିଝଡ଼ର ରୂପ ନେଲା। ନିମିଷକ ମଧ୍ୟରେ ପ୍ରଳୟଙ୍କରୀ ରୂପ ଧାରଣ କରି ଗଛ, ଗୋରୁ ଓ ମଣିଷଙ୍କୁ ଆକାଶକୁ ଉଡ଼ାଇନେଲା। ଗାଁର ୧୨୦ଟି ଘର ଦେଖୁଦେଖୁ ମାଟିରେ ମିଶିଗଲା। କ୍ଷଣିକ ମଧ୍ୟରେ ୧୭୮ ଲୋକଙ୍କ ସହ ୭ ଶହ ଗୃହପାଳିତ ପଶୁଙ୍କ ଜୀବନ ଚାଲିଗଲା। ଗାଁ ଏକ ପ୍ରକାର ଶ୍ମଶାନରେ ପରିଣତ ହୋଇଗଲା। କେବଳ ପୁରୁଣାବାନ୍ଧଗୋଡ଼ା ଗ୍ରାମ ନୁହେଁ, ଘୂର୍ଣ୍ଣିଝଡ଼ ନିକଟସ୍ଥ କରଡ଼ାମାଳି, ନର୍ଦ୍ଦା, ତିଗିରିଆ, ବିଲାବନ୍ଧ ଆଦି ଗାଁରେ ମଧ୍ୟ କ୍ଷତି ଘଟାଇଥିଲା। ଘଟଣା ପରେ ଦେଶ, ବିଦେଶରୁ ସହାୟତାର ସୁଅ ଛୁଟିଥିଲା। ଅକାଳରେ ପ୍ରାଣ ହରାଇଥିବା ଲୋକଙ୍କର ଗାଁମୁଣ୍ଡରେ ସମୂହ ଦାହସଂସ୍କାର କରାଗଲା। ସେହି ସ୍ଥାନରେ ଏକ ସ୍ମୃତିସ୍ତମ୍ଭ ମଧ୍ୟ ସ୍ଥାପିତ ହୋଇଛି। ସେହି ଅବିଶ୍ବସନୀୟ ଘୂର୍ଣ୍ଣିଝଡ଼ ବିଷୟରେ ଆଜି ବି ଭାବିଲା ବେଳକୁ ଦେହ ଥରି ଉଠୁଥିବା ପ୍ରତ୍ୟକ୍ଷଦର୍ଶୀ ନାରାୟଣ ଚନ୍ଦ୍ର ଧୀର, ପ୍ରଦୀପ କୁମାର ନାଏକ, ନୃସିଂହ ଚରଣ ଧୀର, ସେବତୀ ନାୟକ କହିଛନ୍ତି। ଦୁର୍ଘଟଣା ପରେ ପୁରୁଣାବାନ୍ଧଗୋଡ଼ା ଗାଁରେ ଅନେକ ପରିବର୍ତ୍ତନ ଆସିଛି। କିନ୍ତୁ ଏପ୍ରିଲ ୧୬ ଆସିଲେ ଏବେ ବି ନିଜ ଲୁହକୁ ସମ୍ଭାଳି ପାରନ୍ତିନି ବୋଲି ପ୍ରତ୍ୟକ୍ଷଦର୍ଶୀ ମତପ୍ରକାଶ କରିଛନ୍ତି।