ଏଡିଏମ୍‌ଙ୍କ ଗାଡ଼ିକୁ ଧକ୍କା ଦେଲା ମୋ ବସ୍‌

ଭୁବନେଶ୍ୱର,୩।୫(ବ୍ୟୁରୋ): କଟକର ଅତିରିକ୍ତ ଜିଲାପାଳ (ଏଡିଏମ୍‌) ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଗାଡ଼ିକୁ ମୋ ବସ୍‌ ଧକ୍କା ଦେଇଛି। ମଙ୍ଗଳବାର ମଧ୍ୟାହ୍ନରେ ଭୁବନେଶ୍ୱର ରାଜଭବନ ଛକରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଏଡିଏମ୍‌ଙ୍କ ଗାଡ଼ି (ନଂ. ଓଡି୦୫ଏଡବ୍ଲ୍ୟୁ୨୧୨୧)ର ପଛପଟ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ଏଡିଏମ୍‌ ମିଶ୍ରଙ୍କ ମୁଣ୍ଡ ସାମାନ୍ୟ ଫାଟିଯାଇଛି। ତେବେ ଡ୍ରାଇଭରଙ୍କ କୌଣସି କ୍ଷତି ହୋଇନାହିଁ। ଅନ୍ୟପକ୍ଷରେ ମୋ ବସ୍‌ରେ ଥିବା ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି। ତେବେ ଏହି ଦୁର୍ଘଟଣା ନେଇ ଏଡିଏମ୍‌ଙ୍କ ପକ୍ଷରୁ କୌଣସି ଏତଲା ଦିଆଯାଇ ନ ଥିବା ଥାନାଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତି।
ସୂଚନା ଅନୁଯାୟୀ, ଏଡିଏମ୍‌ ମିଶ୍ର ନିଜ କାର୍‌ ଯୋଗେ କଟକରୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଯାଉଥିଲେ। ତାଙ୍କ ଡ୍ରାଇଭର ଗାଡ଼ି ଚଲାଉଥିବା ବେଳେ ସେ ବସିଥିଲେ। ୟୁନିଟ-୬ ପଟୁ ଏଡିଏମ୍‌ଙ୍କ ଗାଡ଼ି ଆସୁଥିଲା। ଏହି ସମୟରେ ଭୁବନେଶ୍ୱର ରେଳଷ୍ଟେଶନରୁ ସମ୍‌ ହସ୍ପିଟାଲ ଯାଉଥିବା ରୁଟ ନଂ ୨୩ର ମୋ ବସ୍‌ ଏଜି ଛକରୁ ଯାଉଥିଲା। ଏଡିଏମ୍‌ଙ୍କ ଗାଡ଼ି ରାଜଭବନ ଗୋଲେଇ ବୁଲି ଏୟାରପୋର୍ଟ ଆଡ଼େ ଯାଉଥିବାବେଳେ ମୋ ବସ୍‌ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଏଡିଏମ୍‌ଙ୍କ ଗାଡ଼ି ୩ ଘେରା ବୁଲିଯାଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

Share