ମୋ ବସ୍‌କୁ ୨ ବର୍ଷ: ଆଜି ନିରାଡ଼ମ୍ବର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୬।୧୧ (ବ୍ୟୁରୋ): ‘ମୋ ବସ୍‌’ ସେବାକୁ ଇତି ମଧ୍ୟରେ ଦୁଇବର୍ଷ ପୂରିଛି। ରାଜଧାନୀ ଭୁବନେଶ୍ୱର ସମତେ କଟକ, ଖୋର୍ଦ୍ଧା, ପୁରୀ ଓ କୋଣାର୍କରେ ଯାତ୍ରୀଙ୍କୁ ଭରସାଯୋଗ୍ୟ ସ୍ବଳ୍ପକାଳୀନ ସେବା ଯୋଗାଇବା ସହ ଲୋକଙ୍କ ଆସ୍ଥା ଭାଜନ ହୋଇପାରିଛି ମୋ ବସ୍‌। ସ୍ବଚ୍ଛତା, ସମୟାନୁବର୍ତ୍ତିତା ତଥା ସୁରକ୍ଷିତ ଯାତ୍ରା ପାଇଁ ଲୋକେ ଅଧିକ ଆକର୍ଷିତ ହେଉଛନ୍ତି। ଗତ ଫେବୃୟାରୀରେ ଦୈନିକ ଯାତ୍ରୀ ସଂଖ୍ୟା ୧ଲକ୍ଷ ୩୧ ହଜାର ଅତିକ୍ରମ କରିଥିବାବେଳେ ଗତବର୍ଷ ସର୍ବଭାରତୀୟ ସ୍ତରରେ ବିଭିନ୍ନ କ୍ଷେତ୍ରରେ ମୋ ବସ୍‌କୁ ଏକାଧିକ ପୁରସ୍କାର ମିଳିଥିଲା। ଏପରି କି ଅନ୍ୟ ରାଜ୍ୟଗୁଡ଼ିକର ଯାତ୍ରୀ ପରିବହନ ସେବାକୁ ପଛରେ ପକାଇ ଶୀର୍ଷରେ ପହଞ୍ଚତ୍ ପାରିଥିଲା। ହେଲେ କରୋନା ପାଇଁ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଯୋଗୁ ଯାତ୍ରୀ ସେବା ଗୁରୁତର ବାଧାପ୍ରାପ୍ତ ହୋଇଥିଲା। ଏବେ ଅନ୍‌ଲକ୍‌ ପର୍ଯ୍ୟାୟରେ ଦୈନିକ ଯାତ୍ରୀ ସଂଖ୍ୟା ୨୦ରୁ ୨୬ ହଜାର ମଧ୍ୟରେ ରହୁଛି। ପର୍ଯ୍ୟଟନ ଋତୁରେ ମୋ ବସ୍‌ ଯାତ୍ରୀ ସଂଖ୍ୟା ଆହୁରି ବଢ଼ିଯିବାର ସମ୍ଭାବନା ରହିଛି। କର୍ମଠ କର୍ମଚାରୀଙ୍କ ଦୃଢ ବିଶ୍ୱାସବଳରେ ଏବର୍ଷ ମଧ୍ୟ ପୁଣି ଜାତୀୟ ପୁରସ୍କାର ପାଇବାକୁ ଆଶା ରଖିଛନ୍ତି ‘ମୋ ବସ୍‌’ ପରିଚାଳନା ଦାୟିତ୍ୱରେ ଥିବା କ୍ୟାପିଟାଲ ରିଜିଅନ୍‌ ଟ୍ରାନ୍ସପୋର୍ଟ ଲିମିଟେଡ୍‌ (କ୍ରୁଟ୍‌) କର୍ତ୍ତୃପକ୍ଷ।
ମୋ ସାଇକେଲ୍‌ : ୨ ବର୍ଷରେ ଦୟନୀୟ ସ୍ଥିତି
ପୂର୍ବରୁ କ୍ରୁଟ୍‌ ଦ୍ୱାରା ପରିଚାଳିତ ‘ମୋ ସାଇକେଲ୍‌’ ସେବା ଶୁକ୍ରବାର ୨ ବର୍ଷରେ ପଦାର୍ପଣ କରିଛି। ବର୍ତ୍ତମାନ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ମୋ ସାଇକେଲ୍‌କୁ ନିଜ ଅଧୀନକୁ ନେଇଥିଲେ ମଧ୍ୟ ପ୍ରଚାର ପ୍ରସାର ଓ ସଚେତନତା ଅଭାବରୁ ମୋ ସାଇକେଲ ପ୍ରତି ଲୋକେ ଆକର୍ଷିତ ହୋଇପାରୁନାହାନ୍ତି। କେଉଁଠି କେନାଲରେ ତ କେଉଁଠି ଗଛ ଉପରେ, ପୁଣି ରାସ୍ତା କଡ଼ରେ ଦୟନୀୟ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ମିଳୁଛି।

Share