୧୬ ରୁଟ୍‌ରେ ‘ମୋ ବସ୍‌’: ସକାଳ ୭ରୁ ସନ୍ଧ୍ୟା ୬ ଯାଏ ମିଳିବ ସେବା

ଭୁବନେଶ୍ୱର, ୧୮।୭ (ବ୍ୟୁରୋ): ଲକ୍‌ଡାଉନ୍‌ କଟକଣା କୋହଳ ହେବା ପରେ ରାଜ୍ୟ ସରକାର ବସ୍‌ ଚଳାଚଳ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ସୋମବାରଠାରୁ ‘ମୋ ବସ୍‌’ ଚଳାଚଳ ସ୍ବାଭାବିକ ହେବ ବୋଲି କ୍ରୁଟ୍‌ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୋ ବସ୍‌ ୧୬ଟି ରୁଟ୍‌ରେ ଚାଲିବ। ତେବେ ଖୁବ୍‌ଶୀଘ୍ର ଅଧିକ ରୁଟ୍‌ରେ ବସ୍‌ ଚଳାଚଳ କରିବ ବୋଲି କ୍ରୁଟ୍‌ ମହାପ୍ରବନ୍ଧକ ଦିପ୍ତୀ ମହାପାତ୍ର କହିଛନ୍ତି। ସେହିପରି ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ନିୟମିତ ବସ୍‌ ଚଳାଚଳ କରିବ। ଶନି ଓ ରବିବାର ଶଟ୍‌ଡାଉନ୍‌ ରହୁଥିବାରୁ ଏହି ଦୁଇଦିନ ବସ୍‌ ଚାଲିବ ନାହିଁ। କୌଣସି ଯାତ୍ରୀ ବସ୍‌ରେ ଠିଆହୋଇ ଯାତ୍ରା କରିପାରିବେ ନାହିଁ। ସେହିପରି ଯାତ୍ରୀମାନେ ମାସ୍କ ଲଗାଇବା ବାଧ୍ୟତାମୂଳକ ଥିବାବେଳେ ନିଜ ସହିତ ସାନିଟାଇଜର ରଖିବାକୁ ମଧ୍ୟ କୁହାଯାଇଛି। ବସ୍‌କୁ ନିୟମିତ ଭାବେ ସାନିଟାଇଜ୍‌ କରିବା ସହ କର୍ମଚାରୀ ତଥା ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟି ଦିଆଯାଇଛି। ତେବେ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀମାଙ୍କ ପାଇଁ ମୋ ବସ୍‌ ପକ୍ଷରୁ ସ୍ବତନ୍ତ୍ର ଶଟଲ୍‌ ବସ୍‌ ସେବା ପୂର୍ବପରି ମିଳିବ। ବିମାନବନ୍ଦର ଓ ରେଳଷ୍ଟେଶନରୁ ଏହି ସ୍ବତନ୍ତ୍ର ସେବା ଜାରି ରହିବ ବୋଲି ସୂଚନା ଦିଆଯାଇଛି।

Share