ସୋମବାରରୁ ସମସ୍ତ ରୁଟ୍‌ରେ ଚାଲିବ ମୋ ବସ୍‌

ଭୁବନେଶ୍ୱର,୧।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିବାରୁ ସରକାର ଲକ୍‌ଡାଉନ୍‌ କଟକଣାକୁ ଆହୁରି କୋହଳ କରିଛନ୍ତି। ପୂର୍ବରୁ ସମଗ୍ର ରାଜ୍ୟରେ ବସ୍‌ ଚଳାଚଳକୁ ଅନୁମତି ମିଳିଥିବାରୁ କ୍ରୁଟ୍‌ ପକ୍ଷରୁ ୧୬ଟି ରୁଟ୍‌ରେ ମୋ ବସ୍‌ ସେବା ଆରମ୍ଭ କରାଯାଇଥିଲା। ତେବେ ପରିସ୍ଥିତିରେ ସୁଧାର ଆସିଥିବାରୁ ଆସନ୍ତା ସୋମବାରଠାରୁ ସମସ୍ତ ୨୫ଟି ଯାକ ରୁଟ୍‌ରେ ୧୯୪ଟି ମୋ ବସ ଗଡ଼ିବ ବୋଲି କ୍ରୁଟ୍‌ର ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର ସୂଚନା ଦେଇଛନ୍ତି। ରାଜଧାନୀର ସମସ୍ତ ମାର୍ଗରେ ମୋ ବସ୍‌ ସେବା ସ୍ବାଭାବିକ ହେବ। ଭୁବନେଶ୍ୱର, କଟକ ଓ ପୁରୀରେ ସପ୍ତାହାନ୍ତ ଶଟ୍‌ଡାଉନ୍‌ ବଳବତ୍ତର ରହୁଥିବାରୁ ଶନିବାର ଓ ରବିବାର ମୋ ବସ୍‌ ସେବା ବନ୍ଦ ରହିବ। ସେହିପରି ରାତ୍ରିକାଳନ କର୍ଫ୍ୟୁକୁ ଦୃଷ୍ଟିରେ ରଖି ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ଟାରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ବସ୍‌ ଚଳାଚଳ କରିବ। ତେବେ ପୂର୍ବପରି ରେଳ ଓ ବିମାନ ଯାତ୍ରୀମାନଙ୍କୁ ବସ୍‌ ସେବା ରେଳ ଷ୍ଟେଶନରୁ କଟକ ଏବଂ ଖୋର୍ଦ୍ଧା ପର୍ଯ୍ୟନ୍ତ ଜାରି ରହିବ। ବିମାନବନ୍ଦରରୁ ରେଳ ଷ୍ଟେଶନ ପର୍ଯ୍ୟନ୍ତ ମଧ୍ୟ ସେବା ଯୋଗାଇ ଦିଆଯିବ। କୌଣସି ଯାତ୍ରୀ ବସ୍‌ରେ ଛିଡ଼ା ହୋଇ ଯାତ୍ରା କରିପାରିବେ ନାହିଁ। ସେହିପରି ମାସ୍କ ନ ଥିଲେ ବସ୍‌ରେ ଯିବା ପାଇଁ ଅନୁମତି ମିଳିବ ନାହିଁ ବୋଲି ଦୀପ୍ତି ସୂଚନା ଦେଇଛନ୍ତି।

Share