Categories: ଖେଳ

ମୋ ବାପା ବି ଭାରତ ପାଇଁ ଖେଳିବାକୁ ଚାହୁଁଥିଲେ….ଚମତ୍କାର ଡେବ୍ୟୁ ପରେ ମୁହଁ ଖୋଲିଲେ ସରଫରାଜ

ନୂଆଦିଲ୍ଲୀ,୧୬।୨: ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିବା ସରଫରାଜ ଖାନ ନିଜ କ୍ରିକେଟ୍‌ କ୍ୟାରିୟର୍‌କୁ ନେଇ ଅନେକ ଖୁଲାସା କରିଛନ୍ତି। ସେ ମାତ୍ର ୬ ବର୍ଷ ବୟସରେ ନିଜର କ୍ରିକେଟ ଯାତ୍ରା ଆରମ୍ଭ କରିଥିଲେ। ଆରମ୍ଭରୁ ସେ ତାଙ୍କ ପିତାଙ୍କ ପରି ଅନ୍ତର୍ଜାତୀୟ ଖେଳାଳି ହେବାର ସ୍ବପ୍ନ ଦେଖିଥିଲେ। ଦୁଇ ଦଶନ୍ଧି ପରେ ତାଙ୍କର ଏହି ସ୍ବପ୍ନ ସାକାର ହୋଇଥିଲା । ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେ ତାଙ୍କୁ ଟେଷ୍ଟ କ୍ୟାପ ଦେଇଥିଲେ ଏବଂ ପଡ଼ିଆରେ ଉପସ୍ଥିତ ଥିବା ତାଙ୍କ ବାପା ନୌଶାଦ ତାଙ୍କ ପୁଅର ଟେଷ୍ଟ କ୍ୟାପ୍‌ ନେଇ ଭାବପ୍ରବଣ ହୋଇପଡିଥିଲେ।
୨୬ ବର୍ଷୀୟ ସରଫରାଜ ପ୍ରଥମ ଦିନର ଖେଳ ଶେଷ ହେବା ପରେ କହିଛନ୍ତି – ପ୍ରଥମ ଥର ପାଇଁ ପଡ଼ିଆକୁ ଆସିବା ଏବଂ ପିତାଙ୍କ ସାମ୍ନାରେ କ୍ୟାପ ନେବା ସ୍ବପ୍ନ ସତ ହେବା ପରି। ଯେତେବେଳେ ସେ ମୋର କ୍ରିକେଟ (ଟ୍ରେନିଂ) ଆରମ୍ଭ କରିଥିଲେ ସେତେବେଳେ ମୋତେ ୬ ବର୍ଷ ହୋଇଥିଲା। ତାଙ୍କ ସାମ୍ନାରେ ଭାରତୀୟ ଦଳ ପାଇଁ ଖେଳିବା ମୋର ସ୍ବପ୍ନ ଥିଲା।
ଭାରତର ଟେଷ୍ଟ କ୍ୟାପ ନମ୍ବର ୩୧୧ ସରଫରାଜ ୬୬ଟି ବଲରେ ୬୨ ରନ ସଂଗ୍ରହ କରି ଅନ୍ତର୍ଜାତୀୟ କ୍ୟାରିୟରରେ ଏକ ଭଲ ଆରମ୍ଭ କରିଥିଲେ। ସରଫରାଜ କହିଛନ୍ତି, ପିତା (ରାଜକୋଟକୁ) ଆସିବାକୁ ପ୍ରସ୍ତୁତ ନ ଥିଲେ, କିନ୍ତୁ କିଛି ଲୋକ ତାଙ୍କୁ ଯିବାକୁ ଜିଦ ଧରିଥିଲେ। ତାଙ୍କୁ ଆସିବାକୁ ପଡିଲା କାରଣ ସେ ଏହି ଦିନ ପାଇଁ ବହୁତ ପରିଶ୍ରମ କରିଥିଲେ। ଯେତେବେଳେ ମୁଁ ତାଙ୍କ ସାମ୍ନାରେ କ୍ୟାପ ନେଇଥିଲି, ସେ ବହୁତ ଭାବପ୍ରବଣ ହୋଇଗଲେ ଏବଂ ମୋ ପତ୍ନୀ ମଧ୍ୟ। ମୁଁ ଅନୁଭବ କଲି ଯେ ମୋ କାନ୍ଧରୁ କିଛି ଚାପ କମିଯାଇଛି, କାରଣ ସେମାନେ ମୋ ପାଇଁ କଠିନ ପରିଶ୍ରମ କରିଥିଲେ ଏବଂ ମୁଁ ଏହାକୁ ନଷ୍ଟ କରି ନ ଥିଲି। ମୋ ବାପା ଦିନେ ଭାରତ ପାଇଁ ଖେଳିବାକୁ ସ୍ବପ୍ନ ଦେଖିଥିଲେ, ମୁଁ ଭାବୁଛି ଆଜି ତାଙ୍କ ସ୍ବପ୍ନ ପୂରଣ କରିପାରିଛି।

Share