Categories: ଫୁରସତ

ବାପା ସାଇତି ରଖିଛନ୍ତି ମୋ ପ୍ରଥମ ଦରମା

ସାମାଜିକ କର୍ମୀ ତଥା ଅବସରପ୍ରାପ୍ତ ନୌସେନା କର୍ମଚାରୀ ବୀରେନ୍ଦ୍ର କୁମାର ସାହୁ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…

ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର କନ୍ଦରସିଂହା ଗାଁରେ ମୋ ଜନ୍ମ। ବାପା ଥିଲେ ଜଣେ କୃଷକ। ନିଜର ଜମିବାଡ଼ି ଥିବାରୁ ମୂଲିଆ, ମଜୁରିଆ ଲଗାଇ ବର୍ଷସାରା ସବୁ ପ୍ରକାର ଫସଲ ଆମଦାନି କରୁଥିଲେ। ବାପାଙ୍କୁ ସାହାଯ୍ୟ କରିବାକୁ ଆମେ ତିନି ଭାଇ ବି ସ୍କୁଲରୁ ଫେରି ଚାଷ କାମରେ ଲାଗିଯାଉଥିଲୁ। କିନ୍ତୁ ସତ କହିବି ମୋତେ ଏସବୁ କାମ କରିବାକୁ ଆଦୌ ଭଲ ଲାଗୁ ନଥିଲା। କାରଣ ସେତେବେଳେ ମୋର ଇଚ୍ଛା ହେଉଥିଲା, ଖେଳକୁଦ ସହିତ ଅଧିକରୁ ଅଧିକ ସମୟ ବହି ସଙ୍ଗେ ବିତାଇବା ପାଇଁ। ହେଲେ ଯେହେତୁ ଆମ ସମସ୍ତଙ୍କ ଖର୍ଚ୍ଚ ତୁଲାଇବାକୁ କୃଷି ହିଁ ଏକମାତ୍ର ପନ୍ଥା ଥିଲା, ତେଣୁ ଏସବୁ କାମ ବାଧ୍ୟହୋଇ କରୁଥିଲି। କିନ୍ତୁ ପାଠପଢାର ଆଗ୍ରହ କମି ନଥିଲା। ଯେତେ କାମ କଲେ ବି ବହି ପାଠ ଯେପରି ହେଲେ ସାରୁଥିଲି। ପଞ୍ଚମ ଶ୍ରେଣୀ ବାର୍ଷିକ ପରୀକ୍ଷା ପରେ ନବୋଦୟ ବିଦ୍ୟାଳୟର ଏଣ୍ଟ୍ରାନ୍ସରେ ପାସ୍‌ କଲି। ଯଦ୍ଦ୍ବାରା ଷଷ୍ଠରୁ ଦ୍ୱାଦଶ ପର୍ଯ୍ୟନ୍ତ ରେଙ୍ଗାଳି ନବୋଦୟ ବିଦ୍ୟାଳୟରେ ଅଧ୍ୟୟନ କଲି। ତା’ପରେ ଢେଙ୍କାନାଳ ଅଟୋନୋମସ୍‌ କଲେଜରେ ଫିଜିକ୍ସ ଅନର୍ସରେ ବି.ଏସ୍‌ସି. ପଢିଲି। ବି.ଏସ୍‌ସି. ପଢ଼ା ସାଙ୍ଗକୁ ଭାରତୀୟ ନୌସେନା ପାଇଁ ବି ପଢ଼ାପଢ଼ି କରୁଥିଲି। ଥରେ ଏମ୍ପ୍ଲୟମେଣ୍ଟ ନ୍ୟୁଜ୍‌ରୁ ନୌସେନା ପରୀକ୍ଷା ପାଇଁ ଇଣ୍ଟରଭ୍ୟୁ ବାହାରି ଥିବାର ଦେଖି ମୁଁ ଓ ମୋର କେତେଜଣ ସାଙ୍ଗ ଫର୍ମ ଫିଲପ୍‌ କରି ପକାଇଦେଲୁ। ଇଣ୍ଟରଭ୍ୟୁ ପାଇଁ ଡାକରା ଆସିବାରୁ ଘର ଲୋକଙ୍କ ଅଜାଣତରେ ହଷ୍ଟେଲରୁ ଚିଲିକା ଯାଇ ଲିଖିତ ଓ ଶାରୀରିକ ପରୀକ୍ଷା ଦେଇ ଆସିଲୁ। ସୌଭାଗ୍ୟକୁ ମୋର ସେଥିରେ ଚୟନ ହୋଇଗଲା। କିଛିଦିନ ପରେ କଲ୍‌ ଲେଟର୍‌ ଆସିଲା। ଘରେ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହିତ ଖୁସି ବି ହେଲେ। ମୋର ମଧ୍ୟ ସେଦିନ ଖୁସିର ସୀମା ନ ଥିଲା। କାରଣ ଦେଶମାତୃକାର ସେବା ସହିତ ମୋର ଏବଂ ମୋ ପରିବାରର ଖର୍ଚ୍ଚ ବହନ କରିବାକୁ ଏହା ଗୋଟିଏ ଅପୂର୍ବ ସୁଯୋଗ ଥିଲା। ଭାରତୀୟ ନୌସେନାରେ ମୋର ପ୍ରଥମ ଦରମା ଥିଲା ୩୦୦୦ ଟଙ୍କା। ଯେହେତୁ ଆମେ ଟ୍ରେନିଂ ପିରିୟଡ୍‌ରେ ଥିଲୁ ସେଥିପାଇଁ ଆମକୁ ପ୍ରତିମାସ ଜରୁରୀ ଖର୍ଚ୍ଚ ଲାଗି ମାତ୍ର ୨୦୦ ଟଙ୍କା ଦିଆଯାଉଥିଲା। ବାକି ଟଙ୍କା କାଟି ରଖାଯାଉଥିଲା; ଯାହାକୁ ଟ୍ରେନିଂ ସରିବା ପରେ ଏକକାଳୀନ ମିଳିଥିଲା। ତେବେ ପାରିଶ୍ରମିକ ଭାବେ ପ୍ରଥମେ ଯେଉଁ ୨୦୦ ଟଙ୍କା ହାତରେ ଧରିଥିଲି, ତାକୁ ହିଁ ଜୀବନର ପ୍ରଥମ ରୋଜଗାର ଭାବି ଖର୍ଚ୍ଚ ନ କରି ଘରକୁ ପୋଷ୍ଟରେ ପଠାଇ ଦେଇଥିଲି। ବାପା ସେଥିରୁ ଶହେଟଙ୍କାର ଭୋଗ କିଣି ଠାକୁରଙ୍କ ପାଖେ ପୂଜାକରି ସାହିରେ ସମସ୍ତଙ୍କୁ ବାଣ୍ଟିଥିଲେ। ବାକି ଶହେ ଟଙ୍କାକୁ ସିଏ ଆଜିଯାଏ ନିଜ ସୁଟ୍‌କେଶ୍‌ରେ ସାଇତି ରଖିଛନ୍ତି; ଆଉ ସୁଯୋଗ ମିଳିଲେ ମୋ ଝିଅମାନଙ୍କୁ ତାହା ଦେଖାଇ କହୁଛନ୍ତି ‘ଦେଖ ତୁମ ବାପାର ପ୍ରଥମ ରୋଜଗାରକୁ ଏବେ ବି ମୁଁ କେମିତି ସାଇତି ରଖିଛି।’ ସତରେ ବାପାଙ୍କର ମୋ ପ୍ରତି ଥିବା ସେହି ଆଶୀର୍ବାଦ ପାଇଁ ଦୀର୍ଘ ୨୦ ବର୍ଷ ଭାରତୀୟ ନୌସେନାରେ ଏୟାରକ୍ରାଫ୍ଟ ମେକାନିକ୍‌(ଇଲେକ୍ଟ୍ରିକାଲ୍‌)ଭାବେ କାମକରି ସେଥିରୁ ଅବସର ନେବା ପରେ ଏବେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ କ୍ୟାଶିୟର ଭାବେ କାର୍ଯ୍ୟରତ। ବିଭିନ୍ନ ପ୍ରକାର ବହି ପଢ଼ିବାରେ ମୋର ରୁଚି ରହିଛି। ଗରିବ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ବି ମୁଁ ଭଲପାଏ। ନିଜ ଗାଁ ତଥା ଗାଁ ମନ୍ଦିରଗୁଡ଼ିକର କିପରି ଉନ୍ନତି ହେବ ସେ ଚେଷ୍ଟାରେ ବି ସବୁବେଳେ ଲାଗିଥାଏ; ସେଥିପାଇଁ ମୋତେ ଆମ ଗାଁ ଲୋକେ ଢେର ଆଦର କରନ୍ତି।

Share