Categories: ଜାତୀୟ

‘ମୋ ପିତା ଥିଲେ ମୋର ହିରୋ, ଏହା ହୁଏତ ଭାଗ୍ୟରେ ଥିଲା’: ପିତାଙ୍କୁ ଲୁହ ଭରା ଆଖିରେ ଶେଷ ବିଦାୟ ଦେଲେ ବ୍ରିଗେଡିୟର ଏଲ୍‌ଏସ୍ ଲିଡ୍ଡରଙ୍କ ଝିଅ ଆଶନା

ନୂଆଦିଲ୍ଲୀ,୧୦ ।୧୨: ତାମିଲନାଡୁର କୁନ୍ନୁରରେ ବୁଧବାର ହୋଇଥିବା ସେନା ହେଲିକପ୍ଟର ଦୁର୍ଘଟଣା ହୁଏତ ଦେଶବାସୀଙ୍କ ମନରୁ କେବେ ଲିଭିବ ନାହିଁ । କିନ୍ତୁ ଏଥିରେ ଯେଉଁମାନେ ଶହୀଦ ହୋଇଛନ୍ତି ତାଙ୍କର ଶୂନ୍ୟସ୍ଥାନକୁ ହୁଏତ ଆଉ ପୂରଣ କରାଯାଇ ନ ପାରେ । କେବଳ ସେତିକି ନୁହେଁ ଦେଶ ପାଇଁ ତଥା ଶହୀଦ ପରିବାର ପାଇଁ ହୋଇଥିବା କ୍ଷତି କେବେ ପୂରଣ ହେବ ନାହିଁ । ସ୍ତ୍ରୀ ହରାଇଛି ସ୍ୱାମୀକୁ ତ ପିଲା ହରାଇଛି ପିତାଙ୍କୁ । ସେନାର ଝିଅ ଭାବେ ଗର୍ବରେ ସିନା ଛାତି ଫୁଲିଉଠୁଛି ହେଲେ ହୃଦୟର କୋହକୁ ଚାପି ରଖିବାକୁ ପଡୁଛି । ଏହି ହେଲିକପ୍ଟର ଦୁର୍ଘଟଣାରେ ଶହୀଦ ହୋଇଛନ୍ତି ବ୍ରିଗେଡିୟର ଏଲ୍‌ଏସ୍ ଲିଡ୍ଡର । ତାଙ୍କର ମୃତଶରୀର ଗୁରୁବାର ବିମାନ ବନ୍ଦରରେ ପହଞ୍ଚିବା ପରେ ଶୋକାକୂଳ ପରିବେଶରେ ପିତାଙ୍କୁ ବିଦାୟ ଦେଇଥିଲେ ୧୭ ବର୍ଷର ଝିଅ ଆଶନା । ଗର୍ବରେ କହିଥିଲେ ମୁଁ ଶହୀଦ ବୀରର ଝିଅ । ଆଉ ମୋ ପିତା ଥିଲେ ମୋର ହିରୋ । ୧୭ ବର୍ଷ ପର୍ଯ୍ୟନ୍ତ ମୁଁ ତାଙ୍କ ସହ ରହିଲି । ତାଙ୍କରି ସ୍ମୃତିକୁ ନେଇ ଆମେ ଆଗକୁ ବଢିବୁ । ଏହା ଏକ ରାଷ୍ଟ୍ରୀୟ କ୍ଷତି । ମୋ ପିତା ହିରୋ ଥିଲେ, ମୋର ସବୁଠାରୁ ଭଲ ବନ୍ଧୁ ଥିଲେ । ହୁଏତ ଏହା ଭାଗ୍ୟରେ ଲେଖାଥିଲା । ଆଗକୁ ଆମ ରାସ୍ତାରେ ଭଲ ଘଟଣା ଘଟିବ । ସେ ମୋର ସବୁଠାରୁ ବଡ ମୋଟିଭେଟର ଥିଲେ ବୋଲି କହିଛନ୍ତି ଆଶନା । ବ୍ରିଗେଡିୟର ଲିଡ୍ଡରଙ୍କ ପତ୍ନୀ ଗିତିକା କହିଛନ୍ତି ଭାରତମାତାର ସୁଯୋଗ୍ୟ ସନ୍ତାନଙ୍କୁ ଆମେ ହରାଇଲୁ, ଜଣେ ସେନାଙ୍କ ପତ୍ନୀ ଭାବେ ଆମେ ତାଙ୍କୁ ହସି ହସି ବିଦାୟ ଦେବା କଥା ଏହା ଏକ ବଡ କ୍ଷତି ।

Share