ପୁରୀରେ ନିଜ ଘର। ପୁରୀ ପୋଲିସ୍ ହାଇସ୍କୁଲ୍ରୁ ମାଟ୍ରିକ୍ ପାସ୍ କରିବା ପରେ ଏସ୍.ସି.ଏସ୍ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢିଲି। ଏହି ସମୟରେ ମୁଁ ୫ଟି ପିଲାଙ୍କୁ ଟ୍ୟୁଶନ କରିବା ଆରମ୍ଭ କଲି କେବଳ ନିଜର ପଢା ଅଭ୍ୟାସକୁ ଜାରି ରଖିବାକୁ। ମାସେ ପରେ ସେମାନଙ୍କ ଅଭିଭାବକମାନେ ଟ୍ୟୁଶନ ଫି ବାଦଦେ ଜଣକୁ ୨୦୦ ଟଙ୍କା ହିସାବରେ ମୋତେ ୧୦୦୦ଟଙ୍କା ଦେଲେ। ମାସକର ପରିଶ୍ରମର ଫଳ ଏହି ୧୦୦୦ଟଙ୍କାଟି ମୋତେ ସେଦିନ ଅପୂର୍ବ ଆନନ୍ଦ ଦେଇଥିଲା। ଘରକୁ ଯାଇ ପ୍ରଥମେ ୫୦୦ଟଙ୍କା ବୀରଗୋବିନ୍ଦପୁର ମା’ ଦକ୍ଷିଣକାଳୀଙ୍କ ଉଦ୍ଦେଶ୍ୟରେ ଠାକୁର ଘରେ ରଖି ବାକି ୫୦୦ଟଙ୍କାକୁ ବାପାଙ୍କ ହାତରେ ଦେଇ କହିଥିଲି, ‘ବାପା ଆଜିଯାଏଁ ଆପଣ ମୋତେ ସବୁକିଛି ଦେଇଛନ୍ତି, ଏଇଟା ମୋ ଜୀବନର ପ୍ରଥମ ରୋଜଗାର, ୟାକୁ ଆପଣଙ୍କର ଯେମିତି ଇଚ୍ଛା ସେମିତି ଖର୍ଚ୍ଚ କରିବେ।’ ବାପା ମନା କରୁଥିଲେ, କିନ୍ତୁ ମୋ ଖୁସି ଦେଖି ବାଧ୍ୟ ହୋଇ ରଖିଲେ। ଆଉ ପରେ ସେହି ଟଙ୍କାରେ ଆମ ସମସ୍ତଙ୍କ ପାଇଁ ସେ ମିଠା କିଣି ନେଇଆସିଥିଲେ। ତେବେ ଏହି ଟ୍ୟୁଶନ ମୁଁ ଯୁକ୍ତ ଦୁଇ ପଢା ସରିବା ପର୍ଯ୍ୟନ୍ତ କଲି, ତା’ପରେ ବ୍ରହ୍ମପୁର ଯାଇ ହୋମିଓପାଥି ପଢିଲି। ହୋମିଓପାଥି ପଢା ସରିବା ପରେ ପୁରୀର ଜଣେ ପ୍ରଖ୍ୟାତ ହୋମିଓପାଥି ଡାକ୍ତର ଅଶୋକ ମହାପାତ୍ରଙ୍କ ତତ୍ତ୍ୱାବଧାନରେ କିଛି ଦିନ ପ୍ରାକ୍ଟିସ୍ କଲି। ତା’ପରେ ମୋର ବାହାଘର ହୋଇଗଲା। ଶାଶୁଘର ଖୋର୍ଦ୍ଧାରେ ଥିଲା। ଶ୍ୱଶୁରଙ୍କ ଦେହ ଭଲ ରହୁ ନଥିବାରୁ ଚାକିରିର ଅଫର୍ ଆସିଲେ ବି ମୁଁ ଚାକିରି କରିବାକୁ ଗଲି ନାହିଁ। ଏହାଦେଖି ଶ୍ୱଶୁର ଘରେ ମୋ ପାଇଁ ଏକ ହୋମିଓପାଥି କ୍ଲିନିକ୍ ଖୋଲିଦେଲେ ଆଉ ତା’ର ସବୁ ଦାୟିତ୍ୱ ମୋତେ ଦେଇଦେଲେ। ତା’ସହିତ ଶ୍ୱଶୁର ମୋତେ ଗୋଟେ କଥା କହିଥିଲେ, ‘ମାସେ ପର୍ଯ୍ୟନ୍ତ ମାଗଣାରେ ରୋଗୀ ଚିକିତ୍ସା କରିବୁ। ଗରିବଗୁରୁବା ତଥା ଅପରିଷ୍କାର ହୋଇ ଆସୁଥିବା ରୋଗୀଙ୍କୁ ତୁ ଯଦି ଷ୍ଟେଥୋ ପକାଇ ସେମାନଙ୍କର ଚିକିତ୍ସା ଭଲ ଭାବରେ କରିପାରିବୁ, ତା’ହେଲେ ତୁ ଜଣେ ଭଲ ଡାକ୍ତରାଣୀ ହୋଇପାରିବୁ ବୋଲି ମୁଁ ଜାଣିବି’। ଶ୍ୱଶୁରଙ୍କ କଥାକୁ ମୁଁ ଅକ୍ଷରେ ଅକ୍ଷରେ ପାଳନ କରି ତାଙ୍କ କଥାକୁ ଯଥେଷ୍ଟ ସମ୍ମାନ ଦେଇଥିବାରୁ ସେ ମୋ ଉପରେ ବହୁତ ଖୁସି ହୋଇଥିଲେ ଆଉ ମୋର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମୋତେ ଅନେକ ଆର୍ଶୀବାଦ ବି କରିଥିଲେ। ତାଙ୍କରି ଆର୍ଶୀବାଦ ଯୋଗୁ ଖୁବ୍ କମ୍ ଦିନରେ ଆଖପାଖ ଅଞ୍ଚଳରେ ମୋର ବେଶ୍ ପରିଚିତି ବଢିଗଲା। କ୍ରମେ ମୋ ପାଖକୁ ଆସୁଥିବା ରୋଗୀଙ୍କ ସଂଖ୍ୟା ବଢିବାକୁ ଲାଗିବାରୁ ପରେ ଘରେ ଥିବା ଏହି କ୍ଲିନିକ୍କୁ ଆମେ ଖୋର୍ଦ୍ଧା ପିତାପାଲ୍ଲୀକୁ ନେଇଯାଇଥିଲୁ; ଯେଉଁଠାରେ ପ୍ରତିଦିନ ମୁଁ ଖୁସିରେ ରୋଗୀସେବା କରୁଛି। ଏ ତ ଥିଲା ମୋ କର୍ମମୟ ଜୀବନ କଥା। ଏହାବାଦ୍ ଗପ, କବିତା, କାବ୍ୟ, ଗୀତି କବିତା ଲେଖିବାରେ ବି ମୋର ବିଶେଷ ରୁଚି ରହିଛି। ଏ କ୍ଷେତ୍ରରେ ବଡ଼ ଭାଇ ସଞ୍ଜୟ ଭଟ୍ଟ ହେଉଛନ୍ତି ମୋର ପ୍ରେରଣା। ସେ ମୋର ଲେଖାକୁ ପତ୍ରପତ୍ରିକାରେ ପ୍ରକାଶ କରିବାରେ ଅନେକ ସାହାଯ୍ୟ କରିଥିଲେ। ଗପ, କବିତା ବ୍ୟତିତ ମୁଁ ଅନେକ ଭଜନ, ଆଧୁନିକ ଗୀତ ବି ଲେଖିଛି। ମୋ ଲିଖିତ ଅନେକ ଗୀତକୁ ଓଡ଼ିଶାର ବହୁ ଲୋକପ୍ରିୟ କଣ୍ଠଶିଳ୍ପୀମାନେ ବି ଗାଇଛନ୍ତି; ଯାହାକୁ ଶ୍ରୋତା ବି ଖୁବ୍ ପ୍ରଶଂସା କରିଛନ୍ତି। ଯେମିତିକି: ତ୍ରାହି ମାମ୍…କୁ ଚରଣ ମହାନ୍ତି, କାହୁଁ ବଇଁଶୀ ବଜାଏ ଲୋ…କୁ ଅସୀମା ପଣ୍ଡା, ଲେଖୁଛି ଚିଠିରେ କିଛି କଥା ସ୍ମୃତି ଧାରେ… ହ୍ୟୁମାନ ସାଗର, ମନକଥା ଥରେ କହି ଦେଲା ପରେ…ସ୍ବୟଂ ପାଢୀ ଇତ୍ୟାଦି ଅନ୍ୟତମ। ତା’ଛଡ଼ା ମୋ ଲିଖିତ ‘କାହୁଁ ବଇଁଶୀ ବଜାଏ ଲୋ’ ଗୀତକୁ ଗାନ୍ଧର୍ବ କଳା ପରିଷଦ ତରଫରୁ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଇଥିବାରୁ ଏହା ମୋ ପାଇଁ ଏକ ଗର୍ବର କଥା। -ଅମ୍ବ୍ରିତା