ସତକଥା ହେଉଛି ବ୍ୟଙ୍ଗଚାଷ କରିବା ପୂର୍ବରୁ ଜଣେ କୃଷକ ପୁତ୍ର ହିସାବରେ କୃଷିକ୍ଷେତ୍ରରେ ମୋର ପ୍ରଥମ ରୋଜଗାର କେବେଠାରୁ ଆରମ୍ଭ ହୋଇ ସାରିଥିଲା ତାହା ଏବେ ମନେ ପକେଇବା ମୁସ୍କିଲ! ଚାରିପାଖରେ ସବୁଜ ପରିବେଶ, ଫୁଲ, ଫଳ, ପରିବା ଓ ଅସରନ୍ତି ଶ୍ରଦ୍ଧାକୁ ପାଇ ରୋଜଗାରର ସ୍ପର୍ଦ୍ଧା ମୋ ଭିତରେ ନଥିଲା। ସୌଭାଗ୍ୟର କଥା ମୋର ରୋଜଗାର ମାନେ ଟଙ୍କା ହାସଲ କରିବାର ଶୁଭ ଦିଆ ହୋଇଥିଲା ବ୍ୟଙ୍ଗ କବିତା ପାଇଁ ଏବଂ ଦାତା ହେଉଛନ୍ତି ଆକାଶବାଣୀ କଟକ। ଜିଲା ଆମର କଟକ, ହେଲେ ମୋର ଘର କଟକଠାରୁ ୧୨୦ କିଲୋମିଟର ଦୂର ଲେମ୍ବୋ ଗ୍ରାମରେ। ସେତେବେଳେ ଘରେ ବିଜୁଳି ସଂଯୋଗ ନଥିଲା ଅତଏବ ଟିଭି ଦେଖିବାର ସୁଯୋଗ ନଥିଲା। କେବଳ ଭରସା ଥିଲା ଆକାଶବାଣୀ। ଛାତ୍ର ଅବସ୍ଥାରେ ନିୟମିତ ରେଡିଓ ଶୁଣୁଶୁଣୁ ମୁଁ ୨୦୦୦/୦୧ ମସିହାରେ ଯୁବବାଣୀ କାର୍ଯ୍ୟକ୍ରମକୁ କିଛି ବ୍ୟଙ୍ଗ କବିତା ଲେଖି ପଠାଇ ଦେଇଥିଲି। କିଛିଦିନ ପରେ ଇଂରାଜୀ ଓ ହିନ୍ଦିରେ ଲେଖା ଗୋଟିଏ ଫରମ ଆସିଲା। ଓଡିଆ ମାଧ୍ୟମ ବିଦ୍ୟାଳୟର ଛାତ୍ର ହିସାବରେ ମୋର ଯେତିକି ଜ୍ଞାନ ଥିଲା ସେଥିରୁ ମୁଁ ବୁଝି ପାରିଲି କି ତାହା ଆକାଶବାଣୀରୁ ଆସିଥିଲା ଏବଂ କବିତାପାଠ ପାଇଁ ନିମନ୍ତ୍ରଣ ହୋଇଥିଲା! ତେବେ ଫିସ ବାବଦରେ ଟ.୩୨୦/-ଙ୍କା ମୋତେ ଦେବାକୁ ପଡିବ କି ମିଳିବ ମୁଁ ବୁଝି ପାରିଲି ନାହି! ରାତିସାରା ଭାବିଲି ଯଦି ଦେବାକୁ ପଡିବ ତା’ହେଲେ ଘରେ ତ ଆଦୌ ରାଜି ହେବେନି! ତା’ ସହିତ ଯିବା ଆସିବା ବାବଦରେ ବସ୍ ଟିକେଟ ଓ ଖାଇବା ଖର୍ଚ୍ଚ ବି ଅଛି। ତେବେ ପରଦିନ ମୋର ଜଣେ ବଡଭାଇ ଯିଏ ଉଚ୍ଚ ଶିକ୍ଷିତ ଥିଲେ ତାଙ୍କୁ ଦେଖାଇବାରୁ ସିଏ ପଢି ବୁଝାଇଦେଲେ କି ମୋତେ କବିତା ପଢିବା ପାଇଁ ଟଙ୍କା ମିଳିବ! ପାଠରେ ନାଇଁ କି ସାଠରେ ନାଇଁ… ତୋ ଦେଇ କିଛି ହେବନାଇଁ ବୋଲି ନିୟମିତ ନିନ୍ଦା କରୁଥିବା ବାପା ବୋଉଙ୍କ ଆଗରେ ମୋର ଧେଡିଆ ଛାତି ଫୁଲେଇ କଥାଟି ଘୋଷଣା କରିଦେଲି! ତା’ ପରେ ଘଟଣାଟି ଆମ ମଫସଲ ଗାଆଁରେ ରାଷ୍ଟ୍ର ହୋଇଗଲା। ନିର୍ଦ୍ଧାରିତ ଦିନରେ ପହଁଚି ଦୁଇଟି କବିତା ରେକର୍ଡିଂ କଲି। ଗୋଟିଏ କବିତାର ଶୀର୍ଷକ ଥିଲା ‘ମଦ ଭାଗବତ’। ମୁଁ ଭାବିଥିଲି ନଗଦ ଆକାରରେ ଟଙ୍କାଟା ମିଳିବ, ତେଣୁ ସେଥିରୁ କେତେ ଖର୍ଚ୍ଚ କରି କ’ଣ କିଣିବି ଓ କେତେ ଘରେ ଦେବି ତାହା ମନେମନେ ଯୋଜନା କରିସାରିଥିଲି। ହେଲେ ମନ ନିଆଁରେ ବର୍ଷା ଝରିଗଲା ଯେବେ ଆକାଶବାଣୀରୁ ପାରିଶ୍ରମିକ ଆକାରରେ ମିଳିଲା ଗୋଟେ ଚେକ୍; ତାହା ପୁଣି ଆକାଉଣ୍ଟ ପେଇଙ୍ଗ୍! ଏଥର ମୋର ଚିନ୍ତା ଆହୁରି ବଢିଗଲା। କାରଣ ଚେକ୍ଟିକୁ ଦାଖଲ କରିବା ପାଇଁ ମୋର ବ୍ୟାଙ୍କ ଆକାଉଣ୍ଟ ହିଁ ନଥିଲା! ମୋର ବଡଭାଇ ଯିଏ କି ଭୁବନେଶ୍ବରରେ ରହୁଥିଲେ, ମୋତେ ନେଇଗଲେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ହାଇଦ୍ରାବାଦର ଶାଖାକୁ । ସେଠି ତାଙ୍କର ଗୋଟେ ଆକାଉଣ୍ଟ ଥିଲା । ମୋର ଆକାଉଣ୍ଟ ଖୋଲିବାର ଅଭିପ୍ରାୟ ଜାଣି ବ୍ୟାଙ୍କର ମ୍ୟାନେଜର କହିଲେ, କେବଳ ଚେକ୍ଟିଏ ପାଇଁ ନୂଆ ଆକାଉଣ୍ଟ କାହିଁକି ଖୋଲିବା? ଅତଏବ ଭାଇନାଙ୍କର ପୂର୍ବରୁ ଥିବା ଆକାଉଣ୍ଟରେ ମୋର ନାମ ଯୋଡି ଜଏଣ୍ଟ ଆକାଉଣ୍ଟ ଖୋଲି ଚେକ୍ଟି ଦାଖଲ ହେଲା। ମ୍ୟାନେଜର ଭାଇନାଙ୍କୁ କହିଲେ, ଚେକ୍ଟିର ଅର୍ଥ ସଂଗ୍ରହ ପରେ ଯୁଗ୍ମ ଖାତାଟିକୁ ପୁଣି ଏକକ କରିଦେବା! ପରେ ପରେ ମୁଁ ଭାଇନାଙ୍କ ପାଖରେ ରହି ପାଠ ପଢିଲି! ସବୁ ଖର୍ଚ୍ଚ ସିଏ ବୁଝୁଥିବାରୁ ପ୍ରଥମ ରୋଜଗାରର ଅର୍ଥକୁ ବ୍ୟାଙ୍କରୁ ଉଠାଇବାକୁ ମୁଁ ଆଉ ଇଛା କରି ନଥିଲି! ମୋର ବଡଭାଇ ଶିତିକାନ୍ତ ପଣ୍ଡା ଏବେ ସ୍ବର୍ଗରେ । ତାଙ୍କର ମୃତ୍ୟୁ ପରେ ଜାଣିଲି କି ବ୍ୟାଙ୍କରେ ଆମ ଯୁଗ୍ମଖାତାଟି ସେମିତି ରହିଥିଲା! ଅତଏବ ପ୍ରଥମ ରୋଜଗାର ମୋ ପାଇଁ କେବଳ ୩୨୦ ଟଙ୍କା ନୁହେଁ ବରଂ ପାହାଡଠୁ ଅଧିକ ବଡ ସ୍ମୃତି, ନଈଠୁ ଅଧିକ ଲମ୍ବା ଭାବପ୍ରବଣତା, ସମୁଦ୍ରଠୁ ଅଧିକ ମହକ ଓ ଆକାଶଠୁ ଅଧିକ ଖୁସି!