ମୋବାଇଲ ଭାଙ୍ଗି ଦେବାରୁ ଜୀବନ ନେଇଗଲା ସାଙ୍ଗ

ଚାନ୍ଦବାଲି,୧୬।୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ଥାନା ମାଧପୁର ପଞ୍ଚାୟତ ଅଣଖାସାହି ଗାଁରେ ଶୁକ୍ରବାର ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ସାଳନ୍ଦୀ ଶାଖା ନଟିଆ ଜୋରରୁ ରବିବାର ପୋଲିସ ଉଦ୍ଧାର କରିଛି। ମୃତକ ହେଉଛନ୍ତି ଚନ୍ଦବାଲି ବ୍ଳକ ଅନ୍ତର୍ଗତ ମାଧପୁର ପଞ୍ଚାୟତ ଅଣଖାସାହିର ରମେଶ ଦାସଙ୍କ ପୁଅ ସୁକାନ୍ତ ଦାସ(୨୨)।

ମିଳିଥିବା ସୂଚନା ମୁତାବକ, ଗତ ଶୁକ୍ରବାର ସନ୍ଧ୍ୟାରେ ହୃଷୀକେଶ ଦାସଙ୍କ ପୁଅ ଜୟଦେବ ଦାସ ଓରଫ ଝରିଆଙ୍କ ସହ ସୁକାନ୍ତ ମୋବାଇଲରେ ଗେମ୍‌ ଖେଳୁଥିଲେ। ହେଲେ ରାତିପ୍ରାୟ ୮ଟାରେ ସୁକାନ୍ତ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ସୁକାନ୍ତଙ୍କୁ ନ ପାଇ ପରିବାର ଲୋକେ ଶନିବାର ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଚାନ୍ଦବାଲି ପୋଲିସ ତଦନ୍ତ ଆରମ୍ଭ କରିବା ସହ ମୋବାଇଲ ଟ୍ରାକିଂ କରିଥିଲା। ଟ୍ରାକିଂ ପରେ ମୋବାଇଲ ଫୋନ୍‌ ଗାଁ ପାଖ ଏକ ଚାଷ ଜମିରେ ପଡ଼ିଥିବା ଜାଣିବାକୁ ମିଳିଥିଲା।

ପରବର୍ତ୍ତିୀ ସମୟରେ ସାଳନ୍ଦୀ ନଦୀର ଶାଖା ନଟିଆ ଜୋରରେ ଏକ ମୃତଦେହ ଭାସୁଥିବା ଗ୍ରାମବାସୀ ରବିବାର ଦେଖିବାକୁ ପାଇଥିଲେ। ପରିବାର ଲୋକେ ମୃତଦେହ ଚିହ୍ନଟ କରିଥିଲେ। ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ପୋଲିସ ସନ୍ଧାନୀ କୁକୁର ସହ କ୍ରାଇମବ୍ରାଞ୍ଚ ଟିମ୍‌ର ସହଯୋଗରେ ତଦନ୍ତ ଆରମ୍ଭ କରିଥିଲା। ପୋଲିସ ସୁକାନ୍ତଙ୍କ ସାଙ୍ଗ ଜୟଦେବଙ୍କୁ ସନ୍ଦେହ କରି ପଚାରଉଚରା ସହ ଚାନ୍ଦବାଲି ଥାନାରେ ଅଟକ ରଖିଥିଲା।

ପରବର୍ତ୍ତୀ ସମୟରେ ଜୟଦେବ ମୋବାଇଲ ଭଙ୍ଗା ଘଟଣାକୁ ନେଇ ସୁକାନ୍ତଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ଅନ୍ୟପକ୍ଷେ ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସର ତଦନ୍ତ ଚାଲିଥିବା ଚାନ୍ଦବାଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୂଚନା ଦେଇଛନ୍ତି। ଏନେଇ ଚାନ୍ଦବାଲି ଥାନା ପୋଲିସ ଏକ ମାମଲା(ନଂ.୩୧୪/୨୦୨୩) ରୁଜୁ କରି ଅଭିଯୁକ୍ତ ଜୟଦେବକୁ ଗିରଫ କରିଛି।

Share