ନୂଆଦିଲ୍ଲୀ,୧୧।୭(ପି.ଟି.): ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଆଜିଙ୍କ ରାହାନେ ଦିନିକିଆ ଫର୍ମାଟକୁ ଫେରିବାକୁ ଇଚ୍ଛା ଜାହିର କରିଛନ୍ତି। ଶେଷଥର ପାଇଁ ୨୦୧୮ ଫେବୃୟାରୀରେ ଦିନିକିଆ ଖେଳିଥିଲେ। ପ୍ରତ୍ୟାବର୍ତ୍ତନ ପାଇଁ ତାଙ୍କ ପାଖରେ ଦକ୍ଷତା ଅଛି ବୋଲି ସେ ଭାବୁଛନ୍ତି। ୩ ଯାକ ଫର୍ମାଟ୍ରେ ଖେଳିବା ପାଇଁ ମାନସକ ଭାବେ ପ୍ରସ୍ତୁତି ଚଳାଉଛି ବୋଲି ସେ କହିଛନ୍ତି।
ଦିନିକିଆରେ ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ଅଛି। ଓପନିଂ ହେଉ କି ୪ ନମ୍ବରରେ ହେଉ ସବୁ ସ୍ଥାନରେ ବ୍ୟାଟିଂ କରିପାରିବି। ମୋଟମୋଟି ଉପରେ ଦିନିକିଆକୁ ଫେରିବାକୁ ଚାହେଁ ବୋଲି ସେ ଇଏସ୍ପିଏନ୍ କ୍ରିକ୍ଇନ୍ଫୋ ଚାର୍ଟା ଶୋ’ରେ ଦୀପ୍ ଦାସ୍ଗୁପ୍ତାଙ୍କ ସହ କଥା ହେବା ବେଳେ କହିଛନ୍ତି। ପୁଣି କେବେ ଦିନିକିଆ ଖେଳିବାକୁ ସୌଭାଗ୍ୟ ମିଳିବ ତାହା ଜଣେ ନାହିଁ। କିନ୍ତୁ ମାନସିକ ଭାବେ ସବୁ ଫର୍ମାଟ ଖେଳିବାକୁ ପ୍ରସ୍ତୁତ ରହିଛି। ଓପନିଂ କରିବାକୁ ଭଲପାଏ। କିନ୍ତୁ ଯଦି କୁହାଯିବ ତା’ହେଲେ ୪ ନମ୍ବରରେ ମଧ୍ୟ ବ୍ୟାଟିଂ କରିପାରିବି। ଦୁଇଟି ସ୍ଥାନରେ ବ୍ୟାଟିଂ କରିବାକୁ ଉପଭୋଗ କରେ ୯୦ଟି ଦିନିକିଆ ମ୍ୟାଚ୍ ଖେଳିଥିବା ରହାନେ କହିଛନ୍ତି। ସେ ମଧ୍ୟ ଏପର୍ଯ୍ୟନ୍ତ ୬୫ଟି ଟେଷ୍ଟ ଖେଳିଛନ୍ତି। ଶେଷଥର ପାଇଁ ସେ ନ୍ୟୁଜିଲାଣ୍ଡ ଗସ୍ତରେ ଟେଷ୍ଟ ଖେଳିଥିଲେ। ଗତ ୪ ବର୍ଷ ହେବ ସେ ଭାରତୀୟ ଟି୨୦ ଦଳରେ ମଧ୍ୟ ସେ ସ୍ଥାନ ପାଇନାହାନ୍ତି। ଟି୨୦ରେ ମଧ୍ୟ ଆବଶ୍ୟକତା ଅନୁଯାୟୀ ପ୍ରଦର୍ଶନ କରିପାରିବି ବୋଲି ସେ କହିଛନ୍ତି।