ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ

ବଇଣ୍ଡା,୨୪।୯(ଡି.ଏନ.ଏ.): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଶନିବାର ଏକ ପୁତ୍ର ସନ୍ତାନ ଜନ୍ମ ଦେବା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଘଟଣା ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ପୋଲିସ କହିଛି। ପ୍ରକାଶ ଯେ, ସମ୍ପୃକ୍ତା ଛାତ୍ରୀଙ୍କ ସହ ଜଣେ ଯୁବକଙ୍କ ପ୍ରେମ ସମ୍ପର୍କ ରହିଥିଲା। ଯୁବକ ଜଣକ ବିବାହ ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ଫଳରେ ସମ୍ପୃକ୍ତା ଛାତ୍ରୀ ଗର୍ଭବତୀ ହୋଇଥିଲେ। ହେଲେ ଏ ସମ୍ପର୍କରେ ସେ ପରିବାର ଲୋକଙ୍କୁ ଜଣାଇ ନ ଥିଲେ। ଶନିବାର ତାଙ୍କ ପେଟରେ ଯନ୍ତ୍ରଣା ହେବା ପରେ ଘରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏହାପରେ ଅସୁସ୍ଥ ଛାତ୍ରୀ ଓ ଶିଶୁପୁତ୍ରଙ୍କୁ ଆଠମଲ୍ଲିକ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ପରିବାର ଲୋକ ଭର୍ତ୍ତି କରିଥିବା ସୂଚନା ମିଳିଛି।