ବେଲପଡା,୧୯ା୧୦(ମନୋଜ କୁମାର ମିଶ୍ର)ଝିଅ ଅନ୍ୟଜାତିର ପୁଅକୁ ପ୍ରେମ ବିବାହ କରିଥିଲେ ବୋଲି ସମାଜରୁ ବାସନ୍ଦ ହୋଇଥିଲେ ମା’ବାପା। ମା’ଙ୍କ ମୃତ୍ୟୁ ପରେ ମୃତଦେହ ଛୁଇଁଲେନି ସମାଜ ଲୋକେ। ମୃତଦେହ ୧୮ଘଣ୍ଟା ପଡି ରହିଲା। ଶେଷରେ ସାମାଜିକ କର୍ମୀ ମହିଳାଙ୍କ ଅନ୍ତିମ ସତ୍କାର କରିଛନ୍ତି। ବୁଧବାର ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲା ବେଲପଡା ବ୍ଳକ ମାଲିମୁଣ୍ଡା ଗାଁରେ।
ମାଲିମୁଣ୍ଡା ଗାଁର ବିଭୀଷଣ ବାଗଙ୍କ ସ୍ତ୍ରୀ ଶଙ୍ଖ ବାଗ(୩୬)ଙ୍କୁ ଜ୍ୱର ହୋଇଥିଲା। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟାରେ ଘରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କ ମୃତ୍ୟୁ ପରେ ଜାତି ଭାଇ କିମ୍ବା ସମ୍ପର୍କୀୟ କେହି କାନ୍ଧ ଦେବା ପାଇଁ ଆସି ନ ଥିଲେ। ଶଙ୍ଖଙ୍କ ଏକମାତ୍ର ଝିଅ କିଛିବର୍ଷ ତଳେ ଅନ୍ୟଜାତିର ଜଣେ ପୁଅକୁ ପ୍ରେମ ବିବାହ କରିଥିଲେ। ସେତେବେଳେ ତାଙ୍କ ପରିବାର ବର୍ଗଙ୍କୁ ଜାତିଲୋକେ ସମାଜରୁ ବାସନ୍ଦ କରିଥିଲେ। ଶଙ୍ଖଙ୍କ ମୃତ୍ୟୁ ପରେ ବି ସମାଜର କେହି ଚାରିକାନ୍ଧ ଦେବାକୁ ଆସି ନ ଥିଲେ। ଦୀର୍ଘ ୧୮ଘଣ୍ଟାରୁ ଅଧିକ ସମୟ ଧରି ମୃତଦେହ ଘରେ ପଡି ରହିଥିଲା। ଖବର ପାଇ ସେବା ଚାରିଟେବୁଲ ଟ୍ରଷ୍ଟର ଗିରିରାଜ ଭୋଇ, ସୁନିଲ ସିଂ, ଜନାର୍ଦ୍ଦନ ସିଂ, ସିପୁନ ଖମାରି, ପିଣ୍ଟୁ ବୁଡେକ, ରଞ୍ଜିତ ସାହୁ ପ୍ରମୁଖ ମୃତଦେହକୁ ସମ୍ମାନର ସହ ନେଇ ଗାଁ ନିକଟ ସର୍ଗିଗୁଡା ପତରା ଜଙ୍ଗଲରେ ବୁଧବାର ସତ୍କାର କରିଥିଲେ।