ବେଙ୍ଗାଲୁରୁ: କୁହାଯାଏ ଯେ ମା’ଙ୍କ ଆଶୀର୍ବାଦ ଯାହା ଉପରେ ଥାଏ ସେ କୌଣସି ମଧ୍ୟ ଅସୁବିଧାର ସମ୍ମୁଖୀନ ହୁଏ ନାହିଁ। କର୍ନାଟକ ରାଜଧାନୀ ବେଙ୍ଗାଲୁରୁର ରାମେଶ୍ବର କାଫେରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ଶୁକ୍ରବାର ଏଠାରେ ବିସ୍ଫୋରଣ ଘଟି ୧୦ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ତେବେ ମା’ଙ୍କ ଫୋନ୍କଲ୍ ଯୋଗୁ ଏହି ଅଘଟଣରୁ ଜଣେ ଯୁବକ ବର୍ତ୍ତି ଯାଇଛନ୍ତି। ଶୁକ୍ରବାର ଅପରାହ୍ନରେ ବେଙ୍ଗାଲୁରୁର ରମେଶ୍ୱରମ୍ କାଫେରେ ହଠାତ୍ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ସମୟରେ ବିହାରର ପାଟନା ନିବାସୀ ୨୪ ବର୍ଷୀୟ ସଫ୍ଟୱୟର ଇଞ୍ଜିନିୟର କୁମାର ଅଳଙ୍କୃନ୍ତ ମଧ୍ୟ ମଧ୍ୟାହ୍ନ ଭୋଜନ ପାଇଁ ସେଠାକୁ ଯାଇଥିଲେ। କିନ୍ତୁ ସୌଭାଗ୍ୟବଶତଃ ସେହି ସମୟରେ ତାଙ୍କ ମା’ଙ୍କ ଫୋନ୍କଲ୍ ଆସିବାରୁ ସେ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଅଳଙ୍କୃନ୍ତ କହିଛନ୍ତି। ଶୁକ୍ରବାର ଅପରାହ୍ନରେ ଅଳଙ୍କୃନ୍ତ କାଉଣ୍ଟରରୁ ଦୋସା ଆଣି ଏକ ର୍ନିଦ୍ଧାରିତ ସ୍ଥାନରେ ବସିଥିଲେ, ଯେଉଁଠାରେ କିଛି ମିନିଟ୍ ପରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଘଟିବାର କିଛି ମୁହୂର୍ତ୍ତ ପୂର୍ବରୁ ଅଳକୃନ୍ତଙ୍କୁ ତାଙ୍କ ମା’ ଫୋନ କରିଥିଲେ। ଫଳରେ ସେ ନିଜ ଆସନରୁ ଉଠିଯାଇ ୧୦ରୁ ୧୫ ମିଟର ଦୂରରେ ଥିବା ଏକ ଶାନ୍ତ ସ୍ଥାନକୁ ଚାଲିଯାଇ ମା’ଙ୍କ ସହ ଫୋନରେ କଥା ହୋଇଥିଲେ। ଏହି ସମୟରେ ସେ ଏକ ବଡ଼ ଶବ୍ଦ ଶୁଣିଥିଲେ, ଯାହାକି ଏକ ବଡ଼ ବିସ୍ଫୋରଣ ହୋଇଥିବା ପରେ ସେ ଜାଣିବାକୁ ପାଇଥିଲେ। ମା’ ତାଙ୍କୁ ସବୁଦିନ ନିୟମିତ ଭାବେ ଫୋନ୍ କରୁଥିବା ଅଳଙ୍କୃନ୍ତ କହିଛନ୍ତି। ସେଦିନ ସେ କେଉଁଠାରେ ଅଛନ୍ତି ବୋଲି ମା’ ତାଙ୍କୁ ପଚାରିଥିବା ବେଳେ ଅଳଙ୍କୃତ ଏହାର ଉତ୍ତର ଦେଇଥିଲେ। ଏହି ସମୟରେ ବିସ୍ଫୋରଣ ଘଟି ସମସ୍ତେ ଏଣେତେଣେ ଦୌଡ଼ିବାକୁ ଲାଗିଥିବା ସେ କହିଛନ୍ତି। ମା’ଙ୍କ ଫୋନ୍କଲ୍ ଯୋଗୁ ତାଙ୍କ ଜୀବନ ବଞ୍ଚି ଯାଇଥିବା କହି ଅଳଙ୍କୃତ ଆଶ୍ୱସ୍ତି ପ୍ରକାଶ କରିଛନ୍ତି।