‘ମୋଦିଙ୍କ ସହ ମୋର ସମ୍ପର୍କ ବହୁତ ଭଲ’

ଓ୍ବାଶିଂଟନ,୨୭ା୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଯଦି ସେ ଜିତନ୍ତି ତେବେ ଭାରତ-ଆମେରିକା ସମ୍ପର୍କକୁ ଆହୁରି ଉପରକୁ ନେଇଯିବେ। ଫ୍ଲୋରିଡାର ମାର୍‌-ଏ-ଲାଗୋ ରିସର୍ଟରେ ରିପବ୍ଲିକାନ ହିନ୍ଦୁ ସମନ୍ବୟ ସମିତି ଦ୍ୱାରା ଆୟୋଜିତ ଏକ ଉତ୍ସବରେ ଟ୍ରମ୍ପ ଏହା କହିଛନ୍ତି।

ଟ୍ରମ୍ପ୍‌ ତାଙ୍କ ବାସଭବନରେ ପ୍ରାୟ ୨୦୦ ଭାରତୀୟ-ଆମେରିକୀୟଙ୍କ ସମାବେଶକୁ ସମ୍ବୋଧିତ କରି କହିଛନ୍ତି, ହିନ୍ଦୁ, ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସମ୍ପର୍କ ମୋର ବହୁତ ଭଲ। ସେ କହିଛନ୍ତି, ଯଦି ସେ ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଜିତନ୍ତି ତେବେ ସେ ରିପବ୍ଲିକାନ ହିନ୍ଦୁ ସମନ୍ବୟ ସମିତି (ଆର୍‌ଏଚ୍‌ସି) ପ୍ରତିଷ୍ଠାତା ଶଲଭ କୁମାରଙ୍କୁ ଭାରତରେ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରିବେ।

ସେ ଆହୁରି ମଧ୍ୟ କହିଛନ୍ତି, ରାଷ୍ଟ୍ରପତି ନିର୍ବାଚନ ପାଇଁ ତାଙ୍କ ନାମ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ, କିନ୍ତୁ ଯଦି ସେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ଏବଂ ଜିତନ୍ତି ତେବେ ସେ ନିଶ୍ଚିତ ଭାବରେ ଭାରତୀୟ ସମ୍ପ୍ରଦାୟକୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବେ। ସେ କହିଛନ୍ତି, ଗତ ନିର୍ବାଚନରେ ହିନ୍ଦୁମାନେ ତାଙ୍କୁ ଦୃଢ଼ ସମର୍ଥନ ଦେଇଛନ୍ତି।

Share