ପ୍ରକଳ୍ପ ତଦାରଖକୁ ଜୋର୍‌ଦାର କରିବ ‘ମୋ ସ୍କୁଲ’

ଭୁବନେଶ୍ୱର, ୫।୩(ବ୍ୟୁରୋ):ସରକାରୀ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ‘ମୋ ସ୍କୁଲ୍‌’ ଅଭିଯାନକୁ ବ୍ୟାପକ କରାଯାଇଛି। ଏହା ମାଧ୍ୟମରେ ୨୫,୫୨୦ ବିଦ୍ୟାଳୟ ଯୋଡ଼ି ହୋଇଛି। ବର୍ତ୍ତମାନ ସୁଦ୍ଧା ପୁରାତନ ଛାତ୍ରୀଛାତ୍ର ମୋଟ ୮୦କୋଟି ୩୪ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିବାବେଳେ ରାଜ୍ୟ ସରକାରଙ୍କ ସହାୟତା ରାଶିକୁ ମିଶାଇ ମୋଟ ୨୪୦ କୋଟି ଟଙ୍କାର ପ୍ରକଳ୍ପ ଏବେ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟକାରୀ ହେଉଛି। ଶନିବାରଠାରୁ ବିଦ୍ୟାଳୟସ୍ତରରେ ପ୍ରକଳ୍ପ ତଦାରଖ ଓ ଡକ୍ୟୁମେଣ୍ଟେଶନ କାର୍ଯ୍ୟକୁ ଜୋରଦାର କରିବାକୁ ଅଭିଯାନ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଗୁରୁବାର ‘ମୋ ସ୍କୁଲ୍‌’ ପରିଚାଳନା ଟିମ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ୫୦ଦିନ ମଧ୍ୟରେ ୨୦୦ଟି ବିଦ୍ୟାଳୟର ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରାଯିବ। ଏସବୁ ବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଧନ୍ୟବାଦ ପତ୍ର ପ୍ରଦାନ କରାଯିବ। ପ୍ରଥମ ଦିନ ଶନିବାର ଅଭିଯାନ ଅଧ୍ୟକ୍ଷା ବାଗ୍‌ଚୀ ଖୋର୍ଦ୍ଧା ଜିଲାର ୨ଟି ସ୍କୁଲ୍‌କୁ ଗସ୍ତ କରି ପ୍ରକଳ୍ପର ତଦାରଖ କରି ଭଲ ପ୍ରଦର୍ଶନ କରିଥିବା ବିଦ୍ୟାଳୟର ପୁରାତନ ଛାଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରିବେ। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଯୋଜନା କାର୍ଯ୍ୟକାରୀ ହେଉଥିବା ଅନ୍ୟ ବିଦ୍ୟାଳୟଗୁଡ଼ିକରେ ପ୍ରକଳ୍ପ ତଦାରଖ ଓ ଡକ୍ୟୁମେଣ୍ଟେଶନ କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହାବ୍ୟତୀତ ମୋ ସ୍କୁଲ୍‌ର ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ଅନ୍ୟ ୩ ଟିମ୍‌ ନିୟମିତ ଭାବେ ବିଭିନ୍ନ ଜିଲା ଗସ୍ତ କରି ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବେ। ଏହି ଅଭିଯାନ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର ପବ୍ଲିକ୍‌ ଡିସ୍‌କ୍ଲୋଜର୍‌ ଓ ସୋସିଆଲ ଅଡିଟ୍‌ ଉପରେ ଗୁରୁତ୍ୱ ଦିଆଯାଇଥିବାବେଳେ କାର୍ଯ୍ୟକ୍ରମକୁ ଅଧିକ ସ୍ବଚ୍ଛ ଓ ନିରପେକ୍ଷ କରିବାକୁ ଏହି ମନିଟରିଂ ଡ୍ରାଇଭ୍‌ ଆରମ୍ଭ କରାଯିବାକୁ ବାଗ୍‌ଚୀ ଗୁରୁତ୍ୱ ଦେଇଛନ୍ତି।

Share