ଦାଦନ ଯାଇ ଫେରିନି ପୁଅ, ୪ ଦିନ ହେଲା ଘରେ ଜଳିନି ଚୁଲି

ମହାକାଳପଡ଼ା,୨ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ରାମନଗର ପଞ୍ଚାୟତ ବାହାକୁଦ ଗାଁର ପ୍ରହଲ୍ଲାଦ ବେହେରାଙ୍କ ପୁଅ ଅକ୍ଷୟ ଓରଫ ବୁଲୁ(୨୦) ନିଖୋଜ ଥିବା ନେଇ ଶନିବାର ଲିଖିତ ଅଭିଯୋଗ ହୋଇଛି। ଏହାକୁ ନେଇ ୪ଦିନ ହେବ ଘରେ ଚୁଲି ଜଳୁନି। ବାପା ପ୍ରହଲ୍ଲାଦ, ମା’ କୁନିଲତା ଓ ତାଙ୍କ ସାନଭାଇଙ୍କ ଆଖିରୁ ଲୁହ ଶୁଖୁନି। ପୁଅର ଫେରିବା ବାଟକୁ ପରିବାର ଲୋକ ଚାହିଁ ବସିଛନ୍ତି।
ଅଭାବୀ ପରିବାର ପ୍ରତିପୋଷଣ ପାଇଁ ସୁଦୂର ବେଙ୍ଗାଲୁରୁକୁ ବର୍ଷେ ପୂର୍ବେ ବୁଲୁ କାମ କରିବାକୁ ଯାଇଥିଲେ। ସେଠାରେ ଚତ୍ରଗାନାପଲ୍ଲୀ ଅଞ୍ଚଳର ଏକ୍ସ ସାଇଡ୍‌ ବ୍ୟାଟେରି କମ୍ପାନୀରେ ଗାଁ ଅଞ୍ଚଳର କେତେଜଣ ସାଥୀଙ୍କ ସହ ଯାଇ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ମାସକୁ ଦୁଇ ପଇସା ରୋଜଗାର କରି ପରିବାର ପାଖକୁ ପଠାଇଥାନ୍ତି। ମାତ୍ର ୪ଦିନ ପୂର୍ବେ ମହାଶିବରାତ୍ରି ପୂର୍ବଦିନ ରାତିରେ ମା’ କୁନିଲତା ସହ ପୁଅ ବୁଲୁ ମୋବାଇଲ ଫୋନ୍‌ ଯୋଗେ କଥା ହୋଇଥିଲେ। ମାମୁ ଘର ଗାଁ ସାଥୀ ପିଲା ଘରକୁ ଯାଇଛନ୍ତି। ପଇସା ପତ୍ର କିଛି ନାହିଁ ଦେଇପାରିନି ବୋଉ। ସାଥୀ ପିଲାଙ୍କ ହାତରେ କିଛି ଶୁଖିଲା ଖାଦ୍ୟ ପ୍ୟାକେଟ ପଠାଉଛି। ତାଙ୍କ ପାଖରୁ ବୁଝିନେବୁ ବୋଲି କଥା ହୋଇଥିଲେ। ପରଦିନ ମହାଶିବରାତ୍ରି ଥିବାରୁ କାଳେ କମ୍ପାନୀ କାର୍ଯ୍ୟାଳୟ ଛୁଟିଥିବ ଏହା ଭାବି ପୁଅ ପାଖକୁ ମା’ ଫୋନ ଲଗାଇଥିଲେ। ମା’ ଫୋନ କରିବାରୁ ତାହା ସୁଇଚ୍‌ ଅଫ ଦେଖାଇ ଥିଲା। ପରେ ପୁଅ ମେସ୍‌ରେ ଥିବା ସାଥୀଙ୍କ ସହ ମା’ କଥା ହୋଇଥିଲେ। ହେଲେ ପୁଅ ସାଥୀ ମାର୍ଶାଘାଇ ଥାନା ଅଞ୍ଚଳର ସତ୍ୟରଞ୍ଜନ ବେହେରା ଓରଫ ଟୁଲୁଙ୍କ ସହ କଥା ହେବାରେ ସେ କହିଥିଲେ, ଫେବୃଆରୀ ୧୭ଠାରୁ ତୁମ ପୁଅ କୁଆଡ଼େ ଯାଇଛି ଆମେ ଜାଣିନୁ। ହେଲେ ତା’ର ମୋର ବିବାଦ ହେବାରୁ ତାକୁ ୨ ଚାପୁଡା ମାରିଛି। ତା’ଠାରୁ ୮ ହଜାର ଟଙ୍କା ଛଡ଼ାଇ ରଖିଛି ବୋଲି ବୁଲୁଙ୍କ ମା’ବାପାଙ୍କୁ ସେ କହିଥିଲେ। ଏକଥା ଶୁଣି ପରେ ମା’ବାପାଙ୍କ ଚିନ୍ତା ବଢ଼ିଯାଇଛି। ସେବେଠାରୁ ଅଦ୍ୟାବଧି ବୁଲୁଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ରହିଛି। ମହାଶିବରାତ୍ରିଠାରୁ ୪ଦିନ ହେବ ଘରେ ଚୁଲି ଜଳୁନି ବୋଲି ପରିବାର ଲୋକେ କହିଛନ୍ତି। ସରକାର ସହାୟତା କରିବାକୁ ପରିବାର ଲୋକେ ନିବେଦନ କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଏମ୍‌ପି ପ୍ରତିନିଧି ସଞ୍ଜୟ କୁମାର ରଥଙ୍କୁ ପଚାରିବାରେ ବେଙ୍ଗାଲୁରୁ ଥାନା ଅଞ୍ଚଳର ଘଟଣା ସମ୍ପର୍କିତ ଅଭିଯୋଗ ମିଳିଲେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ସୌମ୍ୟରଞ୍ଜନ ବିଶ୍ୱାଳଙ୍କୁ ପଚାରିବାରେ ତାଙ୍କ ପୁଅ ବେଙ୍ଗାଲୁରୁ ଥାନା ଅଞ୍ଚଳରେ ରହୁଥିବାରୁ ସେଠାରେ ଅଭିଯୋଗ କରିବା ଆବଶ୍ୟକ ବୋଲି କହି ଅଭିଯୋଗକାରୀ ବାପା ପ୍ରହଲ୍ଲାଦଙ୍କୁ ଫେରାଇ ଦେଇଛନ୍ତି ବୋଲି ସେ କହିଛନ୍ତି।

Share
Tags: dadan