‘ମୋ ଭୋଟ ହିଁ ମୋ ଭବିଷ୍ୟତ-ଗୋଟିଏ ଭୋଟର ଶକ୍ତି’

ବାଲେଶ୍ୱର ଅଫିସ, ୨୨।୨ ଦେଶରେ ପ୍ରଚଳିତ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହିତ ଏଥିରେ ମତଦାତାମାନଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ‘ମୋ ଭୋଟ ହିଁ ମୋ ଭବିଷ୍ୟତ-ଗୋଟିଏ ଭୋଟର ଶକ୍ତି’ ବିଷୟ ଆଧାରିତ ରାଷ୍ଟ୍ରୀୟ ମତଦାତା ସଚେତନତା ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି। ଏଥିରେ ଅଧିକରୁ ଅଧିକ ଜିଲାବାସୀ ଭାଗନେବା ପାଇଁ ବାଲେଶ୍ୱର ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ କୁମାର ସାହୁ ସୋମବାର ଏକ ପ୍ରେସ୍‌ ବିବୃତ୍ତିରେ ଜଣାଇଛନ୍ତି।
ରାଷ୍ଟ୍ରୀୟ ମତଦାତା ଦିବସ-୨୦୨୨ ପାଳନ ଅବସରରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ସମସ୍ତ ବୟସର ଲୋକଙ୍କ ପାଇଁ ଉପଲବ୍ଧ ଥିବା ବେଳେ ମାର୍ଚ୍ଚ ୧୫, ୨୦୨୨ ପର୍ଯ୍ୟନ୍ତ ଏହା ଖୋଲା ରହିବ। ୫ ବର୍ଗ ଯଥା- କୁଇଜ୍‌, ସ୍ଲୋଗାନ ପ୍ରସ୍ତୁତି, ଭିଡିଓ ପ୍ରସ୍ତୁତି, ଗୀତ ଗାଇବା ଏବଂ ପୋଷ୍ଟର ଡିଜାଇନ କରିବାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଆନୁଷ୍ଠାନିକ, ପେସାଦାର ଓ ଅନଭିଜ୍ଞ ଭଳି ତିନୋଟି ସ୍ତରରେ ହେଉଥିବା ଏହି ପ୍ରତିଯୋଗିତା ସମ୍ବନ୍ଧରେ ସବିଶେଷ ତଥ୍ୟ ଭାରତ ନିର୍ବାଚନ ଆୟୋଗଙ୍କ ୱେବସାଇଟ୍‌ https://ecisveep.nic.in/contest/ ତଥା voterawarenesscontest.in ମିଳିପାରିବ। ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରତିଯୋଗୀମାନେ ସବିଶେଷ ବିବରଣୀ ସହିତ ଆବେଦନଗୁଡିକୁ ଇ-ମେଲ ଆଇଡ଼ିରେ voter-contest@eci.gov.in ଇମେଲ୍‌ କରିବେ। ଏଥିସହିତ କେଉଁ ପ୍ରତିଯୋଗିତା ଏବଂ ବର୍ଗ ପାଇଁ ପ୍ରତିଯୋଗୀ ଆବେଦନ କରୁଛନ୍ତି ତାହା ସ୍ପଷ୍ଟ ଭାବେ ଉଲ୍ଲେଖ କରିବେ। ସଙ୍ଗୀତ, ଭିଡ଼ିଓ ପ୍ରସ୍ତୁତି ଓ ପୋଷ୍ଟର ଡିଜାଇନକୁ ୩ଟି ଲେଖାଏଁ ବର୍ଗରେ ବର୍ଗୀକରଣ କରାଯାଇଛି ଓ ସେଥିନିମନ୍ତେ ଆର୍ଥିକ ପୁରସ୍କାର ବ୍ୟବସ୍ଥା ରଖାଯାଇଛି। କୃତି ପ୍ରତିଯୋଗୀଙ୍କୁ ଆର୍ଥିକ ପୁରସ୍କାର ବ୍ୟବସ୍ଥା ରହିଛି। କୁଇଜ୍‌ ପ୍ରତିଯୋଗିତାର ବିଜେତାମାନଙ୍କୁ ଇସିଆଇର ପ୍ରତୀକ ସମ୍ବଳିତ ବ୍ୟାଜ୍‌ ପ୍ରଦାନ କରାଯିବାକୁ ଥିବା ବେଳେ ଏଥିରେ ହେବାକୁ ଥିବା ୩ ସ୍ତରୀୟ ସମସ୍ତ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ଇ-ସାର୍ଟିଫିକେଟ୍‌ ପ୍ରଦାନ କରାଯିବ। ଏହି ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ବିଶେଷ କରି ଆନୁଷ୍ଠାନିକ ବର୍ଗରେ ଥିବା ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀମାନେ ଯେପରି ବହୁଳ ଭାବେ ଭାଗ ନିଅନ୍ତି ସେଥିପାଇଁ ରାଜ୍ୟ ସରକାରଙ୍କ ଗୃହ (ନିର୍ବାଚନ) ବିଭାଗ ତଥା ଜିଲା ପ୍ରଶାସନ ତରଫରୁ ଗୁରୁତ୍ୱାରୋପ କରାଯାଇଛି ା ସେହିପରି ଏ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଜିଲାର ସମସ୍ତ ଉପଖଣ୍ଡ, ବ୍ଲକ, ପୌର ପରିଷଦସ୍ତରୀୟ ନିର୍ବାଚନ ଅଧିକାରୀ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Share