ନୂଆଦିଲ୍ଲୀ,୨୨।୪: ମେଡିକାଲ ଅକ୍ସିଜେନ, ଭାକ୍ସିନ ଓ ବେଡ୍ ପାଇଁ ସରକାରଙ୍କ ଆଶ୍ୱାସନା ସତ୍ତ୍ୱେ କୋଭିଡ୍ ଆକ୍ରାନ୍ତ ଓ ସେମାନଙ୍କ ପରିବାରବର୍ଗଙ୍କ ଦୁଃଖ କମ୍ ହେଉନାହିଁ। ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀର ଲୋକ ନାୟକ ଜୟ ପ୍ରକାଶ (ଏଲ୍ଏନ୍ଜେପି) ହସ୍ପିଟାଲରୁ। ସ୍ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ସ୍ବାମୀ କାନ୍ଦି କାନ୍ଦି ଆକୁଳ ନିବେଦନ କରୁଥିଲେ। ହେଲେ ଶୁଣିବାକୁ କେହି ନାହାନ୍ତି। ୩ ମେଡିକାଲ ଆଡ୍ମିଟ କରିବାକୁ ମନା କରିବା ପରେ ସ୍ବାମୀ ଅସଲମା ଖାନ ସ୍ତ୍ରୀ ରୁବି ଖାନ (୩୦)ଙ୍କୁ ଧରି ପହଞ୍ଚିଥିଲେ ଏଲ୍ଏନ୍ଜେପି ହସ୍ପିଟାଲରେ, ଯାହାକି ରାଜଧାନୀର ସବୁଠୁ ବଡ଼ କୋଭିଡ୍ ଚିକିତ୍ସା କେନ୍ଦ୍ର।
ମୋ ସ୍ତ୍ରୀ ମରିଯିବ। ତାଙ୍କୁ ଆଡ୍ମିଟ କରନ୍ତୁ ବୋଲି କହି ହସ୍ପିଟାଲ ଷ୍ଟାଫଙ୍କୁ ହାତଯୋଡ଼ି ଥିଲେ ଅସଲମ। ମୁଁ ସେମାନଙ୍କ ଗୋଡ଼ ଧରିବାକୁ ରାଜି। ସେମାନେ କହୁଛନ୍ତି, ବେଡ୍ ଉପଲବ୍ଧ ନାହିଁ। ମୁଁ ତାଙ୍କୁ କେମିତି ମରିବା ପାଇଁ ଛାଡ଼ିଦେବି ବୋଲି କାନ୍ଦି କାନ୍ଦି ଗଣମାଧ୍ୟମକୁ କହିଛନ୍ତି ଅସଲମ। ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ ଅଭାବରୁ ପ୍ରତ୍ୟେକ ଦିନ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ମେଡିକାଲକୁ ଅକ୍ସିଜେନ ଯୋଗାଇ ଦେବା ପାଇଁ ହାଇ କୋର୍ଟ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସତ୍ତ୍ୱେ ସ୍ଥିତିରେ କୌଣସି ପରିବର୍ତ୍ତନ ଆସି ନାହିଁ।