ନାଏପିଡାଉ,୩୦।୧୨: ଦୁର୍ନୀତି ଅଭିଯୋଗରେ ମିଆଁମାର କୋର୍ଟ ଶୁକ୍ରବାର ନୋବେଲ ପୁରସ୍କାର ବିଜେତା ଆଙ୍ଗ ସାନ ସୁ କିଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ହେଲିକପ୍ଟର ନିଯୁକ୍ତି ଏବଂ ରକ୍ଷଣାବେକ୍ଷଣ ସହ ଜଡିତ ପାଞ୍ଚଟି ଦୁର୍ନୀତି ମାମଲାରେ ସୁ କିଙ୍କୁ ଏହି ଦଣ୍ଡାଦେଶ ହୋଇଛି। ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ସେ ଅସ୍ବୀକାର କରିଛନ୍ତି।
ସୁ କି ମିଆଁମାରରେ ଦଶନ୍ଧି ଧରି ସାମରିକ ଶାସନ ବିରୋଧରେ ସଂଗ୍ରାମ କରିଛନ୍ତି। ସେ ମିଆଁମାରର ଜଣେ ଲୋକପ୍ରିୟ ନେତା। ସେ ଦଶନ୍ଧି ଧରି ସେଠାରେ ଗଣତନ୍ତ୍ରର ପୁନରୁଦ୍ଧାର ପାଇଁ ଚେଷ୍ଟା କରିଆସୁଛନ୍ତି। ତାଙ୍କୁ ୧୫ ବର୍ଷରୁ ଅଧିକ ସମୟ ପାଇଁ ଗୃହବନ୍ଦୀ କରି ରଖାଯାଇଥିଲା। ତା’ପରେ ସେ ଦେଶର ଦାୟିତ୍ୱ ଗ୍ରହଣ କରିଥିଲେ। ତେବେ ନିକଟରେ ତାଙ୍କୁ ପୁଣି ଗିରଫ କରାଯାଇଥିଲା।
୨୦୨୩ରେ ମିଆଁମାରରେ ସେନା ନୂଆ ନିର୍ବାଚନ ହେବ ଘୋଷଣା କରିଛି। ଫେବୃଆରୀ ୧, ୨୦୨୧ରେ ମିଆଁମାର ସୈନ୍ୟବାହିନୀ ଦେଶର ଶାସନ ଗ୍ରହଣ କରିଥିଲେ ଏବଂ ସୁ କିଙ୍କ ସହ ମିଆଁମାରର ବହୁ ବଡ ନେତାଙ୍କୁ ଗିରଫ କରାଯାଇଥିଲା।