ୟାଙ୍ଗୁନ୍, ୧।୩: ମ୍ୟାନ୍ମାରରେ ରବିବାର ସାମରିକ ଶାସନ ପ୍ରତିବାଦରେ ବିକ୍ଷୋଭ ଚାଲିଥିବାବେଳେ ବିଭିନ୍ନ ସହରରେ ପୋଲିସ ଗୁଳିରେ ୧୮ ଜଣଙ୍କ ମୃତ୍ୟୁ ହେବା ସହ ୩୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ୟାଙ୍ଗୁନ, ଦାଓ୍ବେଇ, ମାଣ୍ଡାଲେ, ମ୍ୟେଇକ୍, ବାଗୋ ଏବଂ ପୋକୋକ୍କୁ ସହରରେ ସାମରିକ ଶାସନ ବିରୋଧୀ ସମାବେଶ ଉପରକୁ ସୁରକ୍ଷା ବଳ ଗୁଳି ଚଳାଇଥିଲା ବୋଲି ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ଲୁହବୁହା ବାଷ୍ପ ପ୍ରୟୋଗ ସାଙ୍ଗକୁ ଫ୍ଲାଶବ୍ୟାଙ୍ଗ୍ ଏବଂ ଷ୍ଟନ୍ ଗ୍ରେନେଡ୍ ମାଡ଼ କରାଯାଇଥିଲା। ମ୍ୟାନ୍ମାର ସାମରିକ ଶାସକଙ୍କ ଏଭଳି ଦମନଲୀଳାକୁ ମାନବାଧିକାର କାର୍ଯ୍ୟାଳୟ ଦୃଢ଼ ନିନ୍ଦା କରିଛି। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବିରୋଧରେ ବଳ ପ୍ରୟୋଗ ବନ୍ଦ କରିବାକୁ ମାନବାଧିକାର କାର୍ଯ୍ୟାଳୟର ମୁଖପାତ୍ର ରବିନା ଶାମଦସାନି ଆହ୍ବାନ ଦେଇଛନ୍ତି।
ଫେବୃୟାରୀ ୧ରେ ମ୍ୟାନ୍ମାର ସୈନ୍ୟବାହିନୀ ବିଦ୍ରୋହ ବଳରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ଅଙ୍ଗ୍ ସାନ୍ ସ୍ୟୁ ଚୀ ସରକାରଙ୍କୁ ହଟାଇ କ୍ଷମତା ଦଖଲ କରିଥିଲା। ଏହା ବିରୋଧରେ ଦୀର୍ଘଦିନ ହେଲା ବିକ୍ଷୋଭ ଜାରି ରହିଥିବା ବେଳେ ରବିବାର ଗୋଟିଏ ଦିନରେ ସର୍ବାଧିକ ବିକ୍ଷୋଭକାରୀ ପ୍ରାଣ ହରାଇଛନ୍ତି।