ନିର୍ବାଚନ ସ୍ଥଗିତ ରଖି ଜରୁରୀକାଳୀନ ସ୍ଥିତି ୬ ମାସ ବଢ଼ାଇବାକୁ ମ୍ୟାନମାର ସାମରିକ ଶାସକଙ୍କ ଯୋଜନା…

ନାପିଦ୍ୱ,୪।୨ : କ୍ଷମତା ଦଖଲର ଦୁଇ ବର୍ଷ ହୋଇଛି। ମ୍ୟାନମାରର ସାମରିକ ଏକଛତ୍ରବାଦୀ ଶାସକମାନେ ଲୋକମାନଙ୍କୁ କୌଣସି ଆଶ୍ୱସ୍ତି ଦେବା ପରିବର୍ତ୍ତେ ଦେଶରେ ଜରୁରୀକାଳୀନ ପରିସ୍ଥିତିକୁ ଆହୁରି ୬ ମାସ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଏହା ଦେଶ ଭିତରେ ଲୋକଙ୍କ ମଧ୍ୟରେ ପୁନର୍ବାର କ୍ରୋଧ ସୃଷ୍ଟି କରିଛି। ଏହା ଆଶଙ୍କା ସୃଷ୍ଟି କରିଛି ଯେ ସାମରିକ ସରକାର ପ୍ରସ୍ତାବିତ ନିର୍ବାଚନକୁ ସ୍ଥଗିତ ରଖିପାରନ୍ତି।

ମ୍ୟାନମାର ସରକାର ଆସନ୍ତା ଅଗଷ୍ଟରେ ନିର୍ବାଚନ କରିବାର କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ନୂତନ ନିୟମ ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେବ, ଯାହାକି ନିର୍ବାଚନ ପରବର୍ତ୍ତୀ ବ୍ୟବସ୍ଥାରେ ସୈନ୍ୟବାହିନୀକୁ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଅନୁମତି ଦେବ। ତଥାପି, ଏହା ସାଧାରଣ ନାଗରିକ ନିୟମକୁ କିଛି ପରିମାଣରେ ପୁନଃ ସ୍ଥାପିତ କରିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି ।

ଜରୁରୀକାଳୀନ ଅବଧିକୁ ବୃଦ୍ଧି କରିବା ଘୋଷଣା ଅନ୍ତର୍ଜାତୀୟ ସ୍ତରରେ ମ୍ୟାନମାରର ସାମରିକ ଶାସନକୁ ମଧ୍ୟ ସମାଲୋଚନା କରାଯାଉଛି। ଏହାର ଉତ୍ତରରେ ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି ସାମରିକ ଶାସକଙ୍କର ଜରୁରୀକାଳୀନ ପରିସ୍ଥିତିକୁ ବଢ଼ାଇବାକୁ ଆମେରିକା ବିରୋଧ କରୁଛି। ଏହା ସାମରିକ ବେଆଇନ ନିୟମକୁ ଆହୁରି ଉତ୍କଟ କରିବ।

ଏଥି ସହିତ ଲୋକଙ୍କ ଅସୁବିଧା ମଧ୍ୟ ଦୀର୍ଘସ୍ଥାୟୀ ହେବ। ’ପର୍ଯ୍ୟବେକ୍ଷକମାନେ ସୂଚାଇ ଦେଇଛନ୍ତି ଯେ ଏହି ବିବୃତ୍ତି ଦେବାବେଳେ ଆମେରିକାର ମୁଖପାତ୍ର ମ୍ୟାନମାରର ପୁରୁଣା ନାମ ବର୍ମା ବ୍ୟବହାର କରିଛନ୍ତି। ଜାପାନର ବୈଦେଶିକ ମନ୍ତ୍ରୀ ୟୋସିମାସା ହାୟାଶି ଦର୍ଶାଇଛନ୍ତି ଯେ ମ୍ୟାନମାରରେ ହିଂସା ଯୋଗୁ ବହୁ ଧନ ଜୀବନ ହାନି ହୋଇଛି।

Share