Categories: ଜାତୀୟ

ରହସ୍ୟମୟ ଆଲାସ୍କା ଟ୍ରାଙ୍ଗଲ୍‌:ଉଭାନ ହେଲେଣି ୨୦ ହଜାର ଲୋକ

ନୂଆଦିଲ୍ଲୀ,୬ା୯:ରହସ୍ୟମୟ ବରମୁଡ଼ା ଟ୍ରାଙ୍ଗଲ୍‌ ସମ୍ପର୍କରେ ପ୍ରାୟ ସମସ୍ତେ ଜାଣନ୍ତି। ଉକ୍ତ ଅଞ୍ଚଳ ଅତିକ୍ରମ କରୁଥିବା ଲୋକେ ଅତ୍ୟନ୍ତ ରହସ୍ୟମୟ ଭାବେ ଅନ୍ତର୍ଦ୍ଧାନ ହୋଇଯାଇଥାନ୍ତି। ସେହିଭଳି ଆଉ ଏକ ରହସ୍ୟମୟ ଅଞ୍ଚଳ ରହିଛି, ଯାହା ‘ଆଲାସ୍କା ଟ୍ରାଙ୍ଗଲ’ ଭାବେ ପରିଚିତ। ୭୦ ଦଶନ୍ଧିରୁ ଅଦ୍ୟାବଧି ସେଠାରୁ ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଉଭାନ ହୋଇଗଲେଣି।
ଆଲାସ୍କା ଟ୍ରାଙ୍ଗଲ୍‌ର ଦକ୍ଷିଣରେ ଆଞ୍ଚୋରେଜ ଏବଂ ଜୁନୋ ଥିବାବେଳେ ଉତ୍ତରରେ ଉତ୍କିଆଗଭିକ୍‌ ଉପକୂଳ ସହର ରହିଛି। ଆଇଏଫ୍‌ଏଲ୍‌ ବିଜ୍ଞାନ ଅନୁଯାୟୀ ୧୯୭୨ ଅକ୍ଟୋବରରେ ଏହି ଅଞ୍ଚଳ ଖବରର ଶିରୋନାମା ମଣ୍ଡନ କରିଥିଲା। ସେତେବେଳେ ଆମେରିକା ହାଉସ୍‌ର ସଂଖ୍ୟାଗରିଷ୍ଠ ନେତା ଥୋମାସ ହାଲେ ବୋଗ୍‌ସ ସିନିୟର ଏବଂ ଆଲାସ୍କା କଂଗ୍ରେସ ସଦସ୍ୟ ନିକ୍‌ ବେଗିଚ୍‌ଙ୍କୁ ନେଇ ଯାଉଥିବା ବିମାନ ଉକ୍ତ ଅଞ୍ଚଳ ଦେଇ ଯିବାବେଳେ ଉଭାନ ହୋଇଯାଇଥିଲା। ବିମାନଟି ଆଞ୍ଚୋରେଜ୍‌ରୁ ଜୁନୋ ଯାଉଥିଲା। ବିମାନରେ ବେଗିଚ୍‌ଙ୍କ ସହଯୋଗୀ ରୁସେଲ ବ୍ରାଉନ୍‌ ଏବଂ ପାଇଲଟ ଡନ୍‌ ଜୋଞ୍ଜ ଥିଲେ। ୪ ଜଣଙ୍କୁ ଖୋଜି ପାଇବା ପାଇଁ ବ୍ୟାପକ ସର୍ଚ୍ଚ ଅପରେଶନ କରାଯାଇଥିଲା। ତେବେ ନା ବିମାନ ନା ଉକ୍ତ ଲୋକଙ୍କର କୌଣସି ପତ୍ତା ମିଳି ନ ଥିଲା। ଏହା କେବଳ ଗୋଟିଏ ଘଟଣା ନୁହେଁ। ୭୦ ଦଶକ ମଧ୍ୟଭାଗରେ ନୂ୍ୟୟର୍କର ୨୫ ବର୍ଷୀୟ ଗାରି ଫ୍ରାଙ୍କ୍‌ ସୋଥେରଡେନ୍‌ ଆଲାସ୍କାର ଜଙ୍ଗଲ ମଧ୍ୟକୁ ଶିକାର ଉଦ୍ଦେଶ୍ୟରେ ଯାଇ ଆଉ ଫେରି ନ ଥିଲେ। ୧୯୯୭ରେ ତାଙ୍କ ଖପୁରି ପୋର୍କୁପାଇନ୍‌ ନଦୀକୂଳରୁ ମିଳିଥିଲା। ତାଙ୍କୁ ଭାଲୁ ମାରିଦେଇଥିବା ସନ୍ଦେହ କରାଯାଏ।
ପ୍ରତିବର୍ଷ ଏହି ଅଞ୍ଚଳରେ ହାରାହାରି ୨,୨୫୦ ଲୋକ ନିଖୋଜ ହୋଇଯାଉଛନ୍ତି, ଯାହା ଆମେରିକାର ଜାତୀୟ ନିଖୋଜ ମାମଲା ହାରଠାରୁ ଦୁଇଗୁଣ। ଆଲାସ୍କା ଟ୍ରାଙ୍ଗଲ୍‌ରେ କେତେକ ଅସାଧାରଣ ଚୁମ୍ବକୀୟ କ୍ରିୟା ହେଉଥିବା ଅନେକେ ବିଶ୍ୱାସ କରନ୍ତି। ଅନ୍ୟ କେତେକଙ୍କର ବିଶ୍ୱାସ ହେଲା, ଉକ୍ତ ରହସ୍ୟମୟ ସ୍ଥାନ ପଛରେ ଏଲିଏନ୍‌ମାନେ ରହିଛନ୍ତି। ଆଲାସ୍କା ଟ୍ରାଙ୍ଗଲ ହେଉଛି ଜଙ୍ଗଲ ଏବଂ ପ୍ରାକୃତିକ ବିପଦ ଭରା ଏକ ବିସ୍ତୀର୍ଣ୍ଣ ଅଞ୍ଚଳ। ଲୋକେ ନିଖୋଜ ହୋଇଯିବା ଓ ଆଉ ନ ଫେରିବା ପଛର ଏହା ମୁଖ୍ୟ କାରଣ ବୋଲି ମଧ୍ୟ କେତେକ କହିଥାନ୍ତି। ବରମୁଡ଼ା ଟ୍ରାଙ୍ଗଲ ଭଳି ଆଲାସ୍କା ଟ୍ରାଙ୍ଗଲ ରହସ୍ୟର କୌଣସି ସମାଧାନ ନାହିଁ।

Share