ରହସ୍ୟଜନକଭାବେ ଯୁବକ ନିଖୋଜ ଘଟଣା: ଝାରସୁଗଡ଼ାରୁ  ହେଲେ ଠାବ

ଅତାବିରା,୧୯।୮(ହୃଷିକେଶ ଖମାରୀ): ବରଗଡ଼ ଜିଲା ଅତାବିରା ରେଳ ଷ୍ଟେଶନକୁ ସମ୍ପର୍କୀୟଙ୍କୁ ଆଣିବାକୁ ଯାଇ ଫେରିବା ବାଟରେ ରହସ୍ୟଜନକଭାବେ  ଜଣେ  ଯୁବକ ନିଖୋଜ ହୋଇଯାଇଥିଲେ।  ଯୁବକ  ଜଣକ ଭେଡେନ ଥାନା  ଦେଶଭଟଲି ପଞ୍ଚାୟତ ବିଶିପାଲି ଆନ୍ଧ୍ରପଡାର ବି. ହରିକ୍ରିଷ୍ଣା। ତେବେ ଶନିବାର ତାଙ୍କୁ ପୋଲିସ ଝାରସୁଗଡ଼ାରୁ ଠାବ କରିଛି। ତାଙ୍କୁ ଆଣିବା ପାଇଁ ଅତାବିରା ପୋଲିସ ଝାରସୁଗୁଡ଼ା ଅଭିମୁଖେ   ଯାଇଛନ୍ତି ଏବଂ ତାଙ୍କୁ ଆଣି ପଚରାଉଚରା ପରେ ନିଖୋଜ ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ କହିଛନ୍ତି।
ଏଠାରେ ଉଲ୍ଲେଖନୀୟ, ଗୁରୁବାର ରାତିରେ ନିଖୋଜ ଯୁବକଙ୍କ ସ୍ତ୍ରୀ,  ୫ମାସର ଶିଶୁପୁତ୍ର ଏବଂ ସମ୍ପର୍କୀୟମାନେ ଆନ୍ଧ୍ରପ୍ରଦେଶରୁ  ଟ୍ରେନ ଯୋଗେ ବିଶିପାଲି ଆନ୍ଧ୍ରପଡା ବାସଭବନକୁ ଫେରୁଥିଲେ। ନିଖୋଜ ଯୁବକ ସେମାନଙ୍କୁ ଆଣିବା ପାଇଁ ବାଇକ ଯୋଗେ ଅତାବିରା ରେଳ ଷ୍ଟେଶନକୁ ଯାଇଥିଲେ। ସ୍ତ୍ରୀ, ଶିଶୁପୁତ୍ର ଏବଂ ସମ୍ପର୍କୀୟଙ୍କୁ ଏକ କାର୍‌ ଯୋଗେ  ସେ ଘରକୁ ପଠାଇଥିଲେ। କିନ୍ତୁ ସେ ବାଇକ ଯୋଗେ ଆଉ ଫେରି ନ ଥିଲେ। ଅନ୍ୟପକ୍ଷରେ ରେଳ ଷ୍ଟେଶନ ରାସ୍ତା ପାଶର୍‌ବରେ ରହିଥିବା ବିଲରୁ ତାଙ୍କ ବାଇକ, ଚପଲ, ହେଲମେଟ ଏବଂ ଏକ ଛୁରୀ ମିଳିଥିଲା। ଶନିବାର ତାଙ୍କ  ଶିଶୁପୁତ୍ରଙ୍କ ଅନ୍ନପ୍ରାଶନ ରହିଛି।
Share