Categories: ଜାତୀୟ

ତାଜମହଲର ୨୨ ବନ୍ଦ କୋଠରୀର ରହସ୍ୟ ଖୋଲିବ, ହାଇକୋର୍ଟରେ ଆବେଦନ ଦାଖଲ…

ଆଗ୍ରା, ୮।୫ : ତାଜମହଲର ୨୨ ବନ୍ଦ କୋଠରୀର ରହସ୍ୟ ଖୋଲିବ। ଏଠାରେ ହିନ୍ଦୁ ଦେବୀଦେବତାଙ୍କର ମୂର୍ତ୍ତି ଅଛି କି ନାହିଁ ତାହା ଜାଣିବା ପାଇଁ ତାଜମହଲର ୨୨ ଟି ତାଲା ପଡିଥିବା କୋଠରୀକୁ ଯାଞ୍ଚ କରିବା ପାଇଁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏକ ଆବେଦନ କରାଯାଇଛି। ଏକ ଅନୁସନ୍ଧାନ କମିଟ ଗଠନ ଏବଂ ଏଏସ୍‌ଆଇ ଦ୍ୱାରା ଏହାର ଯାଞ୍ଚ୍‌ କରିବାକୁ ଆବେଦନରେ ଉଲ୍ଲେଖ କରାଯାଇଛି।

ଆବେଦନରେ କୁହାଯାଇଛି ଯେ ହିନ୍ଦୁ ଦେବୀଦେବତା ମୂର୍ତ୍ତିଗୁଡ଼ିକୁ ବନ୍ଦ କୋଠରୀରେ ରଖାଯାଇଛି। କେତେକ ଐତିହାସିକ ଏବଂ ହିନ୍ଦୁ ସଂଗଠନ ଦ୍ୱାରା ତାଜମହଲ ଏକ ପୁରାତନ ଶିବ ମନ୍ଦିର ବୋଲି ଦାବି କରାଯାଇଥିଲା।
ଏହି ଆବେଦନରେ ଦର୍ଶାଯାଇଛି ଯେ କେତେକ ହିନ୍ଦୁ ସଂଗଠନ ଏବଂ ବିଶିଷ୍ଟ ସାଧୁମାନେ ଏହି ସ୍ମାରକୀକୁ ବିଭିନ୍ନ ଐତିହାସିକ ତଥା ତଥ୍ୟ ଦ୍ୱାରା ସମର୍ଥିତ ଏକ ପୁରାତନ ଶିବ ମନ୍ଦିର ବୋଲି ଦାବି କରୁଛନ୍ତି।

ଚାରି ମହଲା କୋଠାର ଉପର ଏବଂ ତଳ ଅଂଶରେ ପ୍ରାୟ ୨୨ କୋଠରୀ ସବୁଦିନ ପାଇଁ ବନ୍ଦ ହୋଇ ରହିଛି ବୋଲି ଆବେଦନରେ ଦର୍ଶାଯାଇଛି। ପିଏନ ଓକଙ୍କ ପରି ଐତିହାସିକମାନେ ଏବଂ ହିନ୍ଦୁ ଉପାସକ ବିଶ୍ୱାସ କରନ୍ତି ଯେ ସେସବୁ ବନ୍ଦ କୋଠରୀରେ ଭଗବାନ ଶିବଙ୍କର ମନ୍ଦିର ଅଛି ।

ହିନ୍ଦୁ ଧର୍ମ ସଂଗଠନଗୁଡ଼ିକ ଦୀର୍ଘ ଦିନ ଧରି ତାଜମହଲକୁ ତେଜୋ ମହଲ ବୋଲି ଦାବି କରିଆସୁଛନ୍ତି। ଶ୍ରାବଣ ମାସରେ ତାଜମହଲରେ ପ୍ରଭୁ ଶିବଙ୍କ ପୂଜା କରିବା ପାଇଁ କେତେକ ହିନ୍ଦୁ ସଂଗଠନଙ୍କ ଦ୍ୱାରା ମଧ୍ୟ ଉଦ୍ୟମ କରାଯାଇଛି। ଜଗତଗୁରୁ ପରମହଂସାଚାର୍ଯ୍ୟ ମଧ୍ୟ ତାଜମହଲରେ ଶିବଙ୍କୁ ପୂଜା କରିବାକୁ ଜିଦ ଧରିଥିଲେ। ତାଙ୍କ ପ୍ରବେଶକଚ ନେଇ ଅନେକ ବିବାଦ ମଧ୍ୟ ହୋଇଥିଲା।

ପୋଲିସ ସେମାନଙ୍କୁ ତାଜମହଲରେ ପ୍ରବେଶ କରିବା ନେଇ ଅଟକାଇଥିଲା। ତାଙ୍କୁ କିଠମର ଗେଷ୍ଟ ହାଉସରେ ନଜରବନ୍ଦ ରଖାଯାଇଥିଲା। ପରେ ତାଙ୍କୁ ପୋଲିସ ହେପାଜତରେ ଅଯୋଧ୍ୟାକୁ ପଠାଯାଇଥିଲା। ଏହା ପରେ ଜଗତଗୁରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ବିଷୟରେ କହିଥିଲେ।

Share