ରାମସେତୁ ନିର୍ମାଣର ରହସ୍ୟ ଜଣାପଡ଼ିବ

ନୂଆଦିଲ୍ଲୀ,୧୪।୧: ରାମସେତୁର ନିର୍ମାଣର ରହସ୍ୟ ସମ୍ପର୍କରେ ଏବେ ଜଣାପଡ଼ିବ। ଏହା କେବେ ନିର୍ମିତ ହୋଇଥିଲା ଏବଂ ଏହା ସହିତ ଜଡ଼ିତ ରହିଥିବା ଅନ୍ୟ ତଥ୍ୟ ସମ୍ପର୍କରେ ଜାଣିବା ପାଇଁ ଅଣ୍ଡର ଓ୍ବାଟର ରିସର୍ଚ୍ଚ ପ୍ରୋଜେକ୍ଟ ଚଳିତ ବର୍ଷ ଆରମ୍ଭ ହେବାକୁ ଯାଉଛି। ନ୍ୟାଶନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଓସିନୋଗ୍ରାଫି (ଏନ୍‌ଆଇଓ)ର ବୈଜ୍ଞାନିକ ଏନେଇ ଗବେଷଣା କରିବେ। ଗବେଷଣା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ସେଣ୍ଟ୍ରାଲ ଆଡଭାଇଜରୀ ବୋର୍ଡ ପକ୍ଷରୁ ଏନେଇ ମଞ୍ଜୁୁରୀ ପ୍ରଦାନ କରାଯାଇଛି। ଏନ୍‌ଆଇଓ ପକ୍ଷରୁ ୩୫ରୁ ୪୦ ମିଟର ପାଣିତଳୁ ନମୁନା ସଂଗ୍ରହ କରାଯିବ। ଏହି କାର୍ଯ୍ୟରେ ସିନ୍ଧୁ ସଂକଳ୍ପ ଅବା ସିନ୍ଧୁ ସାଧନ ଜାହାଜର ବ୍ୟବହାର କରାଯିବ। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଥିବା ୪୮ କିଲୋମିଟର ଲମ୍ବ ପଥର ଶୃଙ୍ଖଳକୁ ରାମସେତୁ କୁହାଯାଇଥାଏ। ଏହା ସମ୍ପର୍କରେ ରାମାୟଣରେ ଉଲ୍ଲେଖ କରାଯାଇଛି। ଏହା ମାନ୍ନାର ଉପସାଗର ଏବଂ ପାକ୍‌ ଷ୍ଟ୍ରିଟ୍‌କୁ ଅଲଗା କରିଥାଏ। ସେତୁର ଗଭୀରତା ୩ରୁ ଆରମ୍ଭ କରି ୩୦ ଫୁଟ ରହିଛି।

Share