ତୁର୍କୀରେ ଋଷିଆ କୂଟନୀତିଜ୍ଞଙ୍କ ରହସ୍ୟମୟ ମୃତ୍ୟୁ

ଇସ୍ତାନବୁଲ,୧୪।୧୦: ଋଷିଆର ବରିଷ୍ଠ କୂଟନୀତିଜ୍ଞ ନିକୋଲାଇ କ୍ରୋବ୍ରିନେଟ୍ସ ତୁର୍କୀର ଇସ୍ତାନବୁଲରେ ରହସ୍ୟଜନକ ଭାବରେ ମୃତ୍ୟୁବରଣ କରିଛନ୍ତି। ତାଙ୍କ ମୃତଦେହ ଏକ ହୋଟେଲ ରୁମରେ ମିଳିଛି। ତୁର୍କୀ ପୋଲିସ ଏହି ଘଟଣାର ତଦନ୍ତ ପାଇଁ ହୋଟେଲର ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ବିଶେଷଜ୍ଞମାନେ ଫିଙ୍ଗର ପ୍ରିଣ୍ଟ ପରୀକ୍ଷା କରୁଛନ୍ତି। ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିକୋଲାଇ ଅନେକ ଦେଶର ରାଷ୍ଟ୍ରଦୂତଙ୍କ ସହ ଶିଖର ସମ୍ମିଳନୀରେ ଯୋଗଦେବାକୁ ତୁର୍କୀ ଆସିଥିଲେ। ଇସ୍ତାନବୁଲର ତାକ୍ସିମ ଜିଲାର ଏକ ହୋଟେଲରେ ଯାଞ୍ଚ କରିବା ପରେ ନିକୋଲାଇଙ୍କ ମୃତଦେହ ମିଳିଛି।

ନିକୋଲାଇ ଯେତେବେଳେ ସକାଳେ ଶିଖର ସମ୍ମିଳନୀରେ ପହଞ୍ଚି ନ ଥିଲେ, ତାଙ୍କ ସହକର୍ମୀମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହି ସମୟ ମଧ୍ୟରେ ତାଙ୍କ ହୋଟେଲ ରୁମ ଯାଞ୍ଚ କରାଯାଇଥିଲା। ଯାଞ୍ଚବେଳେ ତାଙ୍କ ମୃତଦେହ ଖଟ ଉପରେ ମିଳିଥିଲା। ପ୍ରାଥମିକ ଅନୁସନ୍ଧାନ ରିପୋର୍ଟରୁ ଜଣାପଡିଛି ଯେ, ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି, କିନ୍ତୁ ହତ୍ୟାକାଣ୍ଡ ହୋଇପାରେ ଅନୁମାନ କରି ପୋଲିସ ତଦନ୍ତ କରୁଛି। ନିକୋଲାଇଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ତାଙ୍କ ମୃତଦେହକୁ ବାଚେଲିଭଲର୍‌ ୟେନିବୋସନାରେ ଥିବା ଫରେନସିକ ମେଡିସିନ ପ୍ରତିଷ୍ଠାନର ମର୍ଗକୁ ନିଆଯାଇଥିଲା। ଗତ ବର୍ଷ ଠାରୁ ଚାଲିଥିବା ଋଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଋଷିଆର ବହୁ ବରିଷ୍ଠ କୂଟନୀତିଜ୍ଞ ଏବଂ ଅଧିକାରୀ ରହସ୍ୟମୟ ଭାବରେ ମୃତ୍ୟୁ ଘଟୁଛି।

ଗତ କିଛି ବର୍ଷ ମଧ୍ୟରେ ଋଷିଆର ୪୦ଜଣ ହାଇ-ପ୍ରୋଫାଇଲ ଲୋକଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ଘଟୁଛି। ଗତ ବର୍ଷ ଫେବୃଆରୀରେ ପୁଟିନ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିବା ପରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏଥିମଧ୍ୟରୁ ଅନେକ ରହସ୍ୟମୟ ଭାବେ ଆକସ୍ମିକ ମୃତ୍ୟୁବରଣ କରିଛନ୍ତି। କେତେକ କ୍ଷେତ୍ରରେ ଆତ୍ମହତ୍ୟା ମଧ୍ୟ ହୋଇଛି।
ଭ୍ଲାଦିମିର ପୁଟିନଙ୍କ ବିରୋଧଭାସ କରିଥିବା ୱାଗନର୍‌ ଗ୍ରୁପ ମୁଖ୍ୟ ପ୍ରିଗୋଝିନ ୟେଭେଗିନର ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଅନୁସନ୍ଧାନ ପରେ ଜଣାପଡିଥିଲା ଯେ ସେ ଯେଉଁ ବେସରକାରୀ ଜେଟରେ ଯାତ୍ରା କରୁଥିଲେ ତାହା ଭିତରେ ବିସ୍ଫୋରଣ ପଦାର୍ଥ ଥିଲା। ବିମାନରେ ୩ଜଣ କ୍ରୁ ସଦସ୍ୟଙ୍କ ସମେତ ମୋଟ ୧୦ଜଣଙ୍କର ମୃତ୍ୟୁ ଘଟିଥିଲା।

Share