ପଶ୍ଚିମ ଓଡିଶାର ଭିନ୍ନ ଏକ ପରମ୍ପରା ହେଉଛି କୃଷିଭିତ୍ତିକ ଗଣପର୍ବ ନବାନ୍ନ (ନୂଆଁଖାଇ)। ଏହି ପର୍ବକୁ ପଶ୍ଚିମ ଓଡିଶାବାସୀ ମୁଖ୍ୟପର୍ବ ଭାବେ ପାଳନ କରିଥାନ୍ତି। ଅନ୍ୟ ପର୍ବ ପର୍ବାଣିଠାରୁ ଏହା ଏକ ନିଆରା ପର୍ବ। ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମୟରେ ସ୍ଥାନୀୟ ଇଷ୍ଟ ଦେବୀଙ୍କ ରାଶି ନକ୍ଷତ୍ର ଅନୁସାରେ ନବାନ୍ନ ଲାଗି ପରେ ଲୋକେ ନବାନ୍ନ ଗ୍ରହଣ କରିଥାନ୍ତି। ସାଧାରଣତଃ ମାସକ ଆଗରୁ ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ମହିଳାମାନେ ଘର ଦ୍ୱାର ଲିପାପୋଛା କରି ସଫା କରିଥାନ୍ତି। ପରେ ବିଭିନ୍ନ ରଙ୍ଗ ତଥା ଲାଲ୍ ରଙ୍ଗର ମାଟି ଏବଂ ଧଳା ଚୁନ ମାଟିରେ ଘରକୁ ରଙ୍ଗ ବେରଙ୍ଗ କରିଥାନ୍ତି ଏବଂ ତାହା ଉପରେ ବିଭିନ୍ନ ପ୍ରକାର ଚିତ୍ର ଆଙ୍କିଥାନ୍ତି। ଯିଏ ଯେଉଁଠି ଥାଉନା କାହଁିକି ନବାନ୍ନ ଦିନ ସମସ୍ତେ ଘରେ ପହଞ୍ଚି ନିଜ ମଧ୍ୟରେ ରହିଥିବା ରାଗରୋଷ ଭୁଲି ଏକାଠି ହୋଇଥାନ୍ତି। ଗରିବଙ୍କ ଠାରୁ ଆରମ୍ଭ କରି ଧନି ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ନବାନ୍ନରେ ନୂଆ ବସ୍ତ୍ର ଆସିଥାଏ। ଖରିଫ ଋତୁରେ ଚାଷ ହୋଇଥିବା ପ୍ରଥମ କଶି ଧାନକୁ ଆଣି ତାକୁ ନୂଆ ମାଟି ହାଣ୍ଡିରେ ଭାଜି ଚୁଡା ତିଆରି କରାଯାଏ। ସେହି ଚୁଡାରେ ଦେଶୀ ପାଣି ଗୁଡ ମିଶାଇ ନବାନ୍ନ ପ୍ରସ୍ତୁତ କରାଯାଏ ଏବଂ ତାକୁ ନୂଆଁଖାଇ ଦିନ କୁରେ ପତ୍ରରେ ଇଷ୍ଟ ଦେବୀଙ୍କ ଠାରେ ଲାଗି ଲାଗି କରାଯାଏ। ଏହାକୁ ଘରେ ଘରେ ତିଆରି କରାଯାଇଥିବା ବିଭିନ୍ନ ରକମର ପିଠା ତଥା ଅନ୍ୟାନ୍ୟ ଖାଦ୍ୟରେ ମିସାଇ କୁରେ, ଶାଳ ଏବଂ ଭେଲୁଆ ପତ୍ରରେ ଲୋକେ ଖାଇଥାନ୍ତି। ଅପରାହ୍ନରେ ନିଜ ନିଜ ସମ୍ପର୍କୀୟଙ୍କ ପାଖକୁ ଯାଇ ବଡମାନଙ୍କୁ ସାନମାନେ ମୁଣ୍ଡିଆ ମାରି ଆଶୀର୍ବାଦ ଲାଭ କରିଥାନ୍ତି। ଏହି ସମୟରେ ବିଭିନ୍ନ ପ୍ରକାର ଖେଳର ଆୟୋଜନ କରାଯାଉଥିବାବେଳେ ରାତିରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ପରଦିନ ନବାନ୍ନ ବାସି ପାଳନ ପରମ୍ପରା ରହିଛି। ବାସିଦିନ ଲୋକେ ଘରେ ଘରେ ମାଂସ ଭୋଜି
କରି ଖାଇବା ପରମ୍ପରା ରହିଆସିଛି।
– ଭୁବନେଶ୍ୱର ବାରିକ, ଲାଠୋର