
ସେବା କରିବାର ଦୃଢ଼ ଇଚ୍ଛାଶକ୍ତି ଥିଲେ ତାହା ଯେକୌଣସି ସ୍ଥାନରେ କରାଯାଇପାରିବ, ଏହା ପ୍ରମାଣ କରିଛନ୍ତି ଇତି ପାଣ୍ଡେ । ମହାରାଷ୍ଟ୍ରର ଭୁସଓ୍ବାଲରେ ଡିଭିଜନାଲ ରେଲ୍ଓ୍ବେ ମ୍ୟାନେଜର ଥିବା ଏହି ଅଧିକାରୀ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଗୋଟିଏ ଟ୍ରେନ୍ କୋଚ୍କୁ ହସ୍ପିଟାଲରେ ପରିଣତ କରିଛନ୍ତି। ସେ ରୁଦ୍ର ନାମକ ‘ହସ୍ପିଟାଲ ଅନ୍ ହ୍ବିଲ୍ସ’ ଅଭିଯାନ ଆରମ୍ଭ କରିଛନ୍ତି। ଏହା ମାଧ୍ୟମରେ ସେ ଦୁର୍ଗମ ଅଞ୍ଚଳରେ ରେଲ୍ଓ୍ବେ କର୍ମଚାରୀ ଓ ସେମାନଙ୍କ ପରିବାରକୁ ଠିକ୍ ସମୟରେ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ରେଲଓ୍ବେରେ ଇତି ୨୬ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିସାରିଲେଣି। ସେ ମଧ୍ୟ ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରୁ ସାଇକୋଲୋଜିରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିଥିଲେ। ଦୀର୍ଘ ବର୍ଷ ରେଲ୍ଓ୍ବେରେ କାର୍ଯ୍ୟ କରିବା ମଧ୍ୟରେ ଦୁର୍ଗମ ଅଞ୍ଚଳରେ ରହୁଥିବା କର୍ମଚାରୀଙ୍କ ଅସୁବିଧାକୁ ଲକ୍ଷ୍ୟ କରି ସେ ଏଭଳି ସେବା ଯୋଗାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ପ୍ରଥମ କ୍ୟାମ୍ପ ଜାନୁଆରୀ ୧୮ରେ ଛାଲିସ୍ଗାଁଓରେ ଆରମ୍ଭ କରିଥିଲେ। ଏବେ ସୁଦ୍ଧା ସେ ୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସେବା ଯୋଗାଇ ସାରିଲେଣି। ରୁଦ୍ର ମେଡିକାଲ ଟିମ୍ରେ ସ୍ବେଚ୍ଛାକୃତ ଭାବେ ପାଖାପାଖି ୬୦ ଜଣ ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀ ସେବା କରୁଛନ୍ତି।