ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିର ୨ ଗୋଷ୍ଠୀ ମୁହାଁମୁହିଁ

କନ୍ଧମାଳ,୩୦।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ବିଜେଡିର ଦୁଇଗୋଷ୍ଠୀ ମଧ୍ୟରେ ଶନିବାର ମୁହାଁମୁହିଁ ହୋଇଛି। ମନ୍ତ୍ରୀ ପ୍ରତାପ ଜେନା ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଯାଇଥିବା ବେଳେ ତାଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀ ଠେଲାଠେଲି ହୋଇଛନ୍ତି। ମନ୍ତ୍ରୀ ଦାରିଙ୍ଗିବାଡିରୁ ତୁମୁଡ଼ିବନ୍ଧ ଅଭିମୁଖେ ଆସୁଥିବା ବେଳେ ବାଲିଗୁଡ଼ା ବ୍ଲକ ବିଜେଡି କାର୍ଯ୍ୟାଳୟ ଆଗରେ ତାଙ୍କୁ ସ୍ବାଗତ କରିବାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ହୋଇଥିଲା। ପରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ବାଲିଗୁଡା ବ୍ଲକ ବିଜେଡି ଓ ନଗର ବିଜେଡି କର୍ମୀଙ୍କ ମଧ୍ୟରେ ଠେଲାପେଲା ହେଉଥିବା ବେଳେ ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇ ଉତ୍ତ୍ୟକ୍ତ କର୍ମୀଙ୍କୁ ବୁଝାଶୁଝା କରିଥିଲେ। କହିଥିଲେ, ଗଣ୍ଡଗୋଳ ଓ ଦାଦାଗିରି ବନ୍ଦ କରନ୍ତୁ, ନ ହେଲେ ମୁଁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବି ନାହିଁ।