ଭିଟାମିନ୍‌-ବି’ ଅଭାବରେ…

ଅସନ୍ତୁଳିତ ଖାଦ୍ୟାଭ୍ୟାସ ବର୍ତ୍ତମାନ ମଡର୍ନ ଲାଇଫ୍‌ଷ୍ଟାଇଲ୍‌ର ଏକ ଅଂଶ ପାଲଟିଗଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ। ଯଦ୍ଦ୍ବାରା ଅନେକଙ୍କଠାରେ ବିଭିନ୍ନ ପୋଷକତତ୍ତ୍ୱର ଅଭାବ ହେଉଛି ଏବଂ ତତ୍‌ସମ୍ବନ୍ଧୀୟ ସ୍ବାସ୍ଥ୍ୟ ସମସ୍ୟା ଉପୁଜୁଛି। ଜାଣିବା ଶରୀରରେ ଭିଟାମିନ୍‌୍‌-ବି’ ଅଭାବକୁ ଦୂର କରି ଫିଟ୍‌ ରହିବାର ବିଭିନ୍ନ ଉପାୟ ସମ୍ପର୍କରେ…

ଶରୀରରେ ଭିଟାମିନ୍‌-ବି’ ଅଭାବ ହେଲେ ଦୁର୍ବଳତା, କୋଷ୍ଠକାଠିନ୍ୟ, ଆନେମିଆ, ଇଣ୍ଟେଷ୍ଟାଇନ୍‌ ସମସ୍ୟା, ସ୍ନାୟୁ ଦୁର୍ବଳତା, ଦୃଷ୍ଟିଶକ୍ତି ହ୍ରାସ ହେବା ଭଳି ବିଭିନ୍ନ ସମସ୍ୟା ଉପୁଜିଥାଏ। ତେଣୁ ଶରୀରରେ ଏହାର ମାତ୍ରା ଠିକ୍‌ ରଖିବା ଲାଗି ତଟକା ପନିପରିବା, ଶାଗ, ଦହି, ଅଣ୍ଡା, ମାଛ, ମାଂସ, କ୍ଷୀର ଭଳି ଭିଟାମିନ୍‌-ବି’ଯୁକ୍ତ ସନ୍ତୁଳିତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ। ଭିଟାମିନ୍‌-ବି’ ମାତ୍ରା ଠିକ୍‌ ରହିଲେ କ’ଣ ଲାଭ ହୁଏ ଜାଣିବା ସେ ସମ୍ପର୍କରେ…
ସୁସ୍ଥତା ପାଇଁ ଭିଟାମିନ୍‌-ବି’ର ବିଶେଷ ଭୂମିକା ରହିଛି। ଏହା ଷ୍ଟ୍ରେସ୍‌, ଡିପ୍ରେସନ୍‌, ଷ୍ଟ୍ରୋକ୍‌ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ।
ରୋଗ ପ୍ରତିରୋଧକ ଶକ୍ତି କମ୍‌ ହେଲେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦିଏ। ହେଲେ ଶରୀରରେ ଭିଟାମିନ୍‌-ବି’ ମାତ୍ରା ସଠିକ୍‌ ରହିଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏହା ପ୍ରୋଟିନ୍‌, ଫ୍ୟାଟ୍‌ ଏବଂ କାର୍ବୋହାଇଡ୍ରେଟ୍‌ ଜାତୀୟ ଖାଦ୍ୟ ହଜମ ହେବାରେ ସାହାଯ୍ୟ କରେ ଏବଂ ଶରୀରକୁ ଉର୍ଜା ପ୍ରଦାନ କରିଥାଏ। ତା’ଛଡ଼ା ମୋତିଆବିନ୍ଦୁ ଏବଂ ମାଇଗ୍ରେନ୍‌ ମୁଣ୍ଡବିନ୍ଧା କମ୍‌ କରିବାରେ ମଧ୍ୟ ଏହାର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ।
ସମସ୍ତ କାର୍ଯ୍ୟକଳାପ ପାଇଁ ସ୍ନାୟୁଗୁଡ଼ିକ ସୁସ୍ଥ ରହିବା ନିହାତି ଜରୁରୀ। କାରଣ ଏହା ଦୁର୍ବଳ ହୋଇପଡ଼ିଲେ ହାତ, ଗୋଡ଼ ଥରିବା ଏବଂ ଶରୀରର ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗର କାର୍ଯ୍ୟ କ୍ଷମତା ହ୍ରାସ ହେବା ଏମିତିକି କାହା କାହାଠାରେ ପାରାଲିସିସ୍‌ ଭଳି ଜଟିଳ ସମସ୍ୟା ଉପୁଜିଥାଏ। ତେଣୁ ଖାଦ୍ୟ ତାଲିକାରେ ଭିଟାମିନ୍‌-ବି’ଯୁକ୍ତ ଖାଦ୍ୟକୁ ସାମିଲ କଲେ ଶରୀରରେ ଏହା ଆବଶ୍ୟକ ମାତ୍ରାରେ ରହିବା ଦ୍ୱାରା ମସ୍ତିଷ୍କ ସହ ସ୍ମାୟୁତନ୍ତ୍ରର କାର୍ଯ୍ୟକ୍ଷମତା ବୃଦ୍ଧି ହୋଇଥାଏ।
ଭିଟାମିନ୍‌-ବି’ରେ ଥିବା ରିବୋଫ୍ଲାବିନ୍‌ ଖାଦ୍ୟର ସମସ୍ତ ଭିଟାମିନ୍‌ ଓ ପୋଷକତତ୍ତ୍ୱକୁ ଭଲ ଭାବେ ଗ୍ରହଣ କରିବାରେ ଶରୀରକୁ ସାହାଯ୍ୟ କରେ। ଏହା ହୃତ୍‌ପିଣ୍ଡର କାର୍ଯ୍ୟକ୍ଷମତା ବୃଦ୍ଧି କରିଥାଏ ଏବଂ ଭଲ ଭାବେ ରକ୍ତସଞ୍ଚାଳନ ହେବାରେ ସାହାଯ୍ୟ କରିଥାଏ।