ମହାକାଳପଡ଼ା, ୧୩।୮(ଡି.ଏନ.ଏ.): ପୂର୍ବ ଭାରତରେ ଅନାବୃଷ୍ଟି ଯୋଗୁ ୧୮୬୬-୬୭ ମସିହାରେ ଭୟାବହ ନଅଙ୍କ ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦୁର୍ଭିକ୍ଷ ଯୋଗୁ ଫସଲ ଉତ୍ପାଦନ ନ ଥିଲା। ଜୀବନ ବଞ୍ଚାଇବା ପାଇଁ ଲୋକେ ଖାଦ୍ୟ ଅନ୍ବେଷଣ କରୁଥିଲେ। ଖାଦ୍ୟ ଅଭାବ ଯୋଗୁ ଲୋକମାନେ ପେଟକୁ ମୁଠେ ଦାନା ନ ପାଇ ଡହଳ ବିକଳ ହୋଇ ବିଭିନ୍ନ ରୋଗରେ ପଡି ଅକାଳରେ ମୃତ୍ୟୁ ହେଉଥିଲା। ଅନେକ ଲୋକଙ୍କ ଖାଦ୍ୟ ଅଭାବରେ ଶରୀରର ନରକଙ୍କାଳ ଦେଖିବାକୁ ମିଳିଥିଲା। ଜୀବନ ବିକଳରେ ସାରୁ ନରା, ଦେଶୀ ସାରୁ ପେଙ୍କାଳି ଫୁଲ, କଇଁ ମାଟୁଳା, କଇଁ ନରା, ଗିରିଆ ଶାଗ ଓ ଫୁଲ ଆଦିକୁ ମୁଖ୍ୟ ଆହାର ଭାବେ ଲୋକେ ଗ୍ରହଣ କରୁଥିଲେ ବୋଲି କୁହାଯାଏ।
କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ଲୋକଙ୍କ ନଅଙ୍କ ଦୁର୍ଭିକ୍ଷ ପରିସ୍ଥିତି ସମୟରେ ଗିରିଆ ଶାଗ, ସାରୁ ଫୁଲ, କଇଁ ନରା ଆଦି ଲୁଣି ଅଞ୍ଚଳ ଜମି, ଖାଲ ପାଟରେ ପ୍ରଚୁର ପରିମାଣରେ ମିଳୁଥିଲା। ଏହାକୁ ଲୋକମାନେ ଖାଇ ଜୀବନ ବଞ୍ଚାଇ ଥିଲେ। ଆଜିକା ଦିନରେ ଏହି ସାରୁ ଫୁଲ ବିଭିନ୍ନ ଖାଲ ପାଟ, ନଦୀ କୂଳରେ ମିଳୁଛି। ଏହି ସାରୁ ଫୁଲକୁ ସ୍ଥାନୀୟ ଭାଷାରେ ଲୋକମାନେ ପେଙ୍କାଳିକୁହନ୍ତି। ଏହାକୁ ଲୋକମାନେ ସଂଗ୍ରହ କରି ଭଲ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରନ୍ତି। ପ୍ରଥମେ ଏହି ଫୁଲକୁ ଗରମ ପାଣିରେ ପକାଇ ତା’ର ଲାଲ ଅଂଶ ପାଣିକୁ ଗାଳି ଦିଆଯାଏ। ପରେ ଏହି ସାରୁ ନରା ଓ ଫୁଲକୁ ଚିଙ୍ଗୁଡ଼ି, କଙ୍କଡା ଓ ଅନ୍ୟ ପନିପରିବାରେ ମିଶାଯାଇ ରନ୍ଧା ଯାଏ। ଶାକାହାରିମାନେ ଏହାକୁ ସନ୍ତୁଳା କରି ଖାଇଥାନ୍ତି। ଏବେ ବ୍ଲକ ଅଞ୍ଚଳର ବଜାରରେ ସାରୁ ଫୁଲ ବିଡା ବନ୍ଧା ଯାଇ ବିକ୍ରୟ ହେଉଛି। ଏହାର ବିଡା ପ୍ରତି ୪୦ ଟଙ୍କାରେ ବିକ୍ରି ହେଉଛି। ବ୍ଲକର ମହାନଦୀ ପାର୍ଶ୍ୱ ନଦୀକୂଳ, ଗୋବରୀ ନଦୀକୂଳ, ରାମଚଣ୍ଡୀ ଗଳିଆ ପାର୍ଶ୍ୱ, ଗୁପ୍ତଗିରି ନଦୀ ପାର୍ଶ୍ୱ ବଣ ବୁଦା ମୂଳେ ଏହି ସାରୁ ମିଳେ। ଅପରପକ୍ଷରେ ଏହି ଦେଶୀୟ ସାରୁ ଫୁଲର ଚାହିଦା ବଢୁଥିବାରୁ ବହୁ ଚାଷୀ ନିଜ ବାଡିରେ ଚାଷ କରି ସ୍ଥାନୀୟ ବଜାରରେ ବିକ୍ରି କରି ଭଲ ଦି ପଇସା ରୋଜଗାର କରୁଛନ୍ତି। ସାରୁ ଫୁଲ ପାଳ ଛତୁ ତରକାରି ସହ ସମକକ୍ଷ ବୋଲି ସ୍ଥାନୀୟ ବାସିନ୍ଦା ହରିହର ଗୋଚ୍ଛାୟତ କହିଛନ୍ତି। ଏହି ଫୁଲ ବିଶେଷକରି ବର୍ଷା ଋତୁରେ ଅମଳ ହୋଇଥାଏ। ଚାଷୀମାନେ ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି ବୋଲି ସାରୁ ଚାଷୀ ଯଶମନ୍ତ ରାଉତ କହିଛନ୍ତି। ଏହି ଫୁଲ କୋଲକାତା, କାନ୍ଥୀ ଆଦି ସ୍ଥାନକୁ ବଙ୍ଗୀୟ ଲୋକମାନେ ଚାଲାଣ କରୁଛନ୍ତି। ସେଠାରେ ସାରୁ ଫୁଲର ଚାହିଦା ରହିଛି। ବ୍ଲକର ରାମନଗର ବଜାରରେ ଏହି ସାରୁ ଫୁଲ ବିକ୍ରି ହେଉଛି। ବଙ୍ଗୀୟ ଲୋକମାନଙ୍କ ପ୍ରିୟ ଏହି ସାରୁ ଫୁଲକୁ ଦୈନନ୍ଦିନ ତରକାରି କରି ଖାଉଥିବା ଦେଖିବାକୁ ମିଳୁଛି।