ମୁମ୍ବାଇ: ସାଉଥ ସିନେମାର ବ୍ଲକବୁଷ୍ଟର ମୁଭି ଆରଆରଆରର ସୁପରହିଟ ଗୀତ ନାଟୁ ନାଟୁ ଏବେ ଇତିହାସ ରଚିଛି । ଓସ୍କାର ଆୱାର୍ଡସ ୨୦୨୩ରେ ଆରଆରଆରର ନାଟୁ ନାଟୁ ଗୀତକୁ ବେଷ୍ଟ ଅରିଜିନାଲ ସଙ୍ଗ ଭାବେ ସମ୍ମାନୀତ କରାଯାଇଛି । ଏହାପରେ ଏବେ ସବୁଠି ନାଟୁ ନାଟୁ ଗୀତର ଚର୍ଚ୍ଚା ହେଉଛି । ହେଲେ ଏହି ଗୀତର ଶୁଟିଂ କେବେ ଓ କେମିତି ତିଆରି ହୋଇଥିଲା ତାହା ହୁଏତ ଅନେକେ ଜାଣି ନ ଥିବେ ।
ସାଉଥ ସିନେମାର ନାମୀ ନିର୍ଦ୍ଦେଶକ ଏସ ଏସ ରାଜାମୌଳି ତାଙ୍କ ମୁଭି ଆରଆରଆରର ନାଟୁ ନାଟୁ ଗୀତର ଶୁଟିଂକୁ ନେଇ ଏକ ସାକ୍ଷାତକାରରେ ସ୍ପଷ୍ଟ କରିଥିଲେ କି ଏହି ସଙ୍ଗର ଶୁଟିଂ ୟୁକ୍ରେନର ରାଷ୍ଟ୍ରପତି ଭବନରେ ହୋଇଥିଲା । ୟୁକ୍ରେନର ରାଜଧାନୀ କ୍ୱିଭରେ ଥିବା ମରିଂସ୍କରେ ଥିବା ଶାନଦାର ପ୍ୟାଲେସରେ ଏହା ଶୁଟିଂ କରାଯାଇଥିଲା, ଯାହା ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ ଘର ବା ରାଷ୍ଟ୍ରପତି ଭବନ ।
ଏହି ଗୀତର ଶୁଟିଂ ଅନୁମତିକୁ ନେଇ ରାଜାମୌଳିଙ୍କୁ ଲକି ବୋଲି କୁହାଯାଏ । କାରଣ ଜେଲନସ୍କିଙ୍କ ପକ୍ଷରୁ ତାଙ୍କୁ ରାଷ୍ଟ୍ରପତି ଭବନରେ ଶୁଟିଂ କରିବାକୁ ସହଜରେ ଅନୁମତି ମିଳି ଯାଇଥିଲା । କାରଣ ଜେଲେନସ୍କି ପୂର୍ବରୁ ଜଣେ ଟେଲିଭିଜନ କଳାକାର ଥିଲେ । ଏଭଳି ଭାବେ ଆରଆରଆରର ଧମାକାଦାର ସଙ୍ଗ ନାଟୁ ନାଟୁ ୟୁକ୍ରେନ ରାଷ୍ଟ୍ରପତିଙ୍କ ଭବନ ବାହାରେ ଶୁଟିଂ କରାଯାଇଥିଲା ।
କୁହାଯାଏ ଏହି ଗୀତର ଶୁଟିଂ ପ୍ରାୟ ୧୯ ମାସରେ ହୋଇଥିଲା । ନାଟୁ ନାଟୁର ମ୍ୟୁଜିକ କମ୍ପୋଜର ଏମ ଏମ କିରାୱନି ଏ ସମ୍ପର୍କରେ ସୂଚନା ପୂର୍ବରୁ ଦେଇସାରିଛନ୍ତି, ଯେ ୧୭ ଜୁନ ୨୦୨୦ରୁ ଆରଆରଆରର ନାଟୁ ନାଟୁ ଗୀତ ଉପରେ କାମ ଆରମ୍ଭ ହୋଇଥିଲା ଯାହାକି ୧୯ ମାସ ପରେ ଶେଷ ହୋଇଥିଲା । ତେବେ ରୁଷିଆ ୟୁକ୍ରେନ୍ ଯୁଦ୍ଧ ପୂର୍ବରୁ ୟୁକ୍ରେନ୍ ରାଷ୍ଟ୍ରପତି ଭବନରେ ଏହି ଗୀତର ଶୁଟିଂ ଶେଷ ହୋଇଥିଲା ।