ନବ ଦାସ ହତ୍ୟା ମାମଲା: କ୍ରାଇମ୍‌ବ୍ରାଞ୍ଚ ଏଡିଜିଙ୍କ ଜେରା

ବ୍ରଜରାଜନଗର,୬ା୨(ଡି.ଏନ.ଏ.): ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ନବମ ଦିନରେ ମଧ୍ୟ କ୍ରାଇମବ୍ରାଞ୍ଚକୁ କୌଣସି ସଫଳତା ମିଳି ପାରିନାହିଁ। କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୋମବାର ଦ୍ୱିତୀୟ ପାଳି ରିମାଣ୍ଡର ଦ୍ୱିତୀୟ ଦିନରେ ଗୋପାଳଙ୍କୁ ଜେରା କରିଥିଲେ ମଧ୍ୟ ତାଙ୍କ ମୁହଁରୁ ହତ୍ୟାର କାରଣ ଖୋଜି ବାହାର କରିପାରିନାହାନ୍ତି। କ୍ରାଇମ୍‌ବ୍ରାଞ୍ଚ ଯେତେ କୌଶଳ ଅବଲମ୍ବନ କରୁଛି ଗୋପାଳ ତାଙ୍କଠାରୁ ଗୋଟିଏ ପାଦ ଆଗକୁ ଯାଇ ଜଗିରଖି ଉତ୍ତର ଦେଉଥିବା ଜଣାପଡିଛି। ସୋମବାର ଦିନତମାମ ବାରାକ ଭିତରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ରେକର୍ଡ କରାଯାଇଥିଲା। ଏହାସହ ମେଡିକାଲ ଟିମ୍‌ ଗୋପାଳଙ୍କ ମାନସିକ ସ୍ଥିତି ପରୀକ୍ଷା କରିଥିଲେ। ବିଭିନ୍ନ ମେଶିନ ଲଗାଇ ସେ ସତ କହୁଛନ୍ତି କି ନାହିଁ ତାହା ତନଖି କରିଥିଲେ। ରିମାଣ୍ଡର ଦ୍ୱିତୀୟ ଦିନ ଶେଷ ହୋଇଥିଲେ ମଧ୍ୟ ଗୋପାଳଙ୍କୁ ଘଟଣାସ୍ଥଳକୁ ସିନ୍‌ ରିକ୍ରିଏଶନ ପାଇଁ ଅଣାଯାଇ ନାହିଁ। ଏସବୁ ଭିତରେ ଘଟଣାର ଛାନ୍‌ଭିନ୍‌ ପାଇଁ ଗୁଜରାଟରୁ ଏକ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏସ୍‌ଏଫ୍‌ ଟିମ୍‌ ଆସିବା ଯୋଜନା ରହିଛି।

Share