Advertisement

ନବ ଦାସଙ୍କ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବି ମାମଲାର ଅନ୍ତ

କଟକ,୫ା୩(କାର୍ତ୍ତିକ ସାହୁ)- ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ନେଇ ରୁଜୁ ମାମଲାର ବୁଧବାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ। ରାଜ୍ୟ ସରକାର ନବ ଦାସ ହତ୍ୟା ମାମଲାର ତଦନ୍ତ ସଂକ୍ରାନ୍ତୀୟ ରିପୋର୍ଟ ସତ୍ୟପାଠ ଜରିଆରେ ହାଇକୋର୍ଟରେ ଦାଖଲକରି ମାମଲାର ତଦନ୍ତ ଚାଲିଥିବା ଦର୍ଶାଇଛନ୍ତି। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅରିନ୍ଦମ ସିହ୍ନା ଓ ବିଚାରପତି ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ସତ୍ୟପାଠରେ ପ୍ରଦତ୍ତ ତଥ୍ୟ ଉପରେ ସନ୍ତୋଷ ପ୍ରକାଶକରି ମାମଲାର ଅନ୍ତ ଘଟାଇଛନ୍ତି।

ମାମଲାର ବିବରଣୀ ଅନୁସାରେ, ନବ ଦାସଙ୍କୁ ୨୦୨୩ ଜାନୁଆରୀ ୨୯ ତାରିଖରେ ହତ୍ୟା କରାଯାଇଥିଲା। ବ୍ରଜରାଜନଗରର ଗାନ୍ଧୀ ଛକଠାରେ ପୋଲିସ ଏଏସ୍‌ଆଇ ଗୋପାଳ ଦାସ ୪ ରାଉଣ୍ଡ ଗୁଳି ଚାଳନାକରି ଏହି ହତ୍ୟାକାଣ୍ଡ ଘଟାଇଥିଲେ। ଏହି ହତ୍ୟା ଘଟଣାକୁ ୨ ବର୍ଷ ପୂରିଥିବାବେଳେ ଅଦ୍ୟାବଧି ତଦନ୍ତର କୌଣସି ଅଗ୍ରଗତି ହେଉନାହିଁ। ତେଣୁ ଆବେଦନକାରୀ ପିନାକ ପାଣି ମହାନ୍ତି ମାମଲାର ସିବିଆଇ ତଦନ୍ତ ଦାବିରେ ମାମଲା ରୁଜୁ କରିଥିଲେ। ହାଇକୋର୍ଟ ଉକ୍ତ ମାମଲାର ଶୁଣାଣିକରି ରାଜ୍ୟ ସରକାରଙ୍କୁ ନବ ଦାସ ହତ୍ୟା ଘଟଣା ସଂକ୍ରାନ୍ତୀୟ ରିପୋର୍ଟ ଦାଖଲ କରିବା ନିମନ୍ତେ ଆଦେଶ ଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share