ନବ ଦାସ ହତ୍ୟା ଘଟଣା:ସେପ୍ଟେମ୍ବର ୨କୁ ଘୁଞ୍ଚିଲା ଶୁଣାଣି

ସମ୍ବଲପୁର,୨୨ା୮(ଶୁଭାଶିଷ ପାଢୀ):ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ବହିଷ୍କୃତ ପୋଲିସ ଏଏସ୍‌ଆଇ ଗୋପାଳ ଦାସଙ୍କ ସୋମବାର ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଝାରସୁଗୁଡା ଅତିରିକ୍ତ ଜିଲା ଜଜ୍‌ କୋର୍ଟରେ ଶୁଣାଣି ରହିଥିଲା। ହେଲେ ବିଚାରପତିଙ୍କ ଅନୁପସ୍ଥିତ ଯୋଗୁ ଶୁଣାଣି ହୋଇପାରି ନାହିଁ। ଏହାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏହି ମାମଲାରେ ଅଗଷ୍ଟ ୯ରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଝାରସୁଗୁଡ଼ା ଅତିରିକ୍ତ ଜିଲା ଦୌରା ଜଜ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ମାମଲାରୁ ଗୋପାଳଙ୍କୁ ମୁକ୍ତ କରିବା ଲାଗି ତାଙ୍କ ଓକିଲ ନରେଶ ନାଏକ ଡିସ୍‌ଚାର୍ଜ ପିଟିସନ୍‌ ଦାଖଲ କରିଥିଲେ। ଏହି ପିଟିସନ୍‌ ଯୋଗୁ ଗୋପାଳଙ୍କ ବିରୋଧରେ ସୋମବାର ଭିଡ଼ିଓ କନ୍‌ଫରେସିଂରେ ହେବାକୁ ଡିସ୍‌ଚାର୍ଜ ଫ୍ରେମ୍‌ କୌଣସି କାରଣରୁ ହୋଇପାରିନାହିଁ। ଆସନ୍ତା ୨ ତାରିଖରେ ଏହାର ଶୁଣାଣି ହେବ ବୋଲି ଓକିଲ ନାଏକ କହିଛନ୍ତି। ସେ ଆହୁରି କହିଛନ୍ତି, ଗୋପାଳ ନିର୍ଦ୍ଦୋଷ। ସେ ମାନସିକ ରୋଗରେ ପୀଡ଼ିତ। ବର୍ତ୍ତମାନ ମଧ୍ୟ ତାଙ୍କ ମାନସିକ ଅବସ୍ଥା ଠିକ୍‌ ନ ଥିବାରୁ ସେ ଜେଲରେ ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ଖାଉଛନ୍ତି। ତେଣୁ ଗୋପାଳଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଉ। ଏପରିକି ଆବଶ୍ୟକ ପଡିଲେ ସୁପ୍ରିମକୋର୍ଟ ଯିବୁ ବୋଲି ପୂର୍ବରୁ ଗୋପାଳଙ୍କ ଓକିଲ ମହେଶ ଜେନା କହିଥିଲେ।
ସୂଚନାଯୋଗ୍ୟ, ଜାନୁୟାରୀ ୨୯ରେ ବ୍ରଜରାଜନଗର ଗାନ୍ଧୀ ଛକରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ନବ ଦାସଙ୍କୁ ଗୋପାଳ ଗୁଳି କରି ହତ୍ୟା କରିଥିଲେ। ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ସେତେବେଳେ ରାଜ୍ୟ ସରକାର ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ। ଘଟଣାର ୧୧୮ଦିନ ପରେ କ୍ରାଇମବ୍ରାଞ୍ଚ ୫୩୪ ପୃଷ୍ଠାର ଚାର୍ଜଶିଟ ଦାଖଲ କରିଥିଲା। ଏଥିରେ ୮୯ ଜଣଙ୍କ ସାକ୍ଷ୍ୟ ଓ ଜେରା କରଯାଇଥିବା ରିପୋର୍ଟ ରହିଥିଲା। ବ୍ୟକ୍ତିଗତ ଆକ୍ରୋଶ ରଖି ନବଙ୍କୁ ଗୋପାଳ ହତ୍ୟା କରିଥିବା ଚାର୍ଜଶିଟରେ ଉଲ୍ଲେଖ ରହିଥିଲା। ଏପରି କି ଗୋପାଳ ସମ୍ପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ଏହି ହତ୍ୟାକାଣ୍ଡ ଘଟାଇଥିଲେ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା। ହେଲେ କେଉଁ କାରଣରୁ ସେ ହତ୍ୟାକାଣ୍ଡ ଘଟାଇଥିଲେ ତାହା ସ୍ପଷ୍ଟ ହୋଇପାରି ନାହିଁ।

Share