ଟିକା ଯୋଗାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ଓଡ଼ିଶାକୁ ଆବଶ୍ୟକ କରୋନା ଟିକା ଯୋଗାଇ ଦେବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନ୍‌ସୁଖ୍‌ ମାଣ୍ଡବ୍ୟଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଚିଠି ଲେଖି ଅନୁରୋଧ କରିଛନ୍ତି। ମନ୍ତ୍ରୀ ଦାସ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, କୋଭିଡ୍‌-୧୯ର ନୂଆ ପ୍ରଜାତି ବିଏଫ୍‌-୭ ଏବେ ପୃଥିବୀର ବିଭିନ୍ନ ଦେଶ ଯଥା ଚାଇନା, ଜାପାନ, ୟୁଏସ୍‌ଏ, ବ୍ରାଜିଲ୍‌, କୋରିଆରେ କାୟା ବିସ୍ତାର କରିଥିବାବେଳେ ଭାରତରେ ମଧ୍ୟ ଏହି ପ୍ରଜାତି ଚିହ୍ନଟ ହେବା ଅତି ଉଦ୍‌ବେଗର ବିଷୟ। ରାଜ୍ୟରେ ୧୨ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ୮.୧୪ କୋଟି ପ୍ରଥମ ଡୋଜ୍‌, ୩.୩୦ କୋଟି ଦ୍ୱିତୀୟ ଡୋଜ୍‌ ଓ ୧୮ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ୧.୩୧ କୋଟି ପ୍ରିକସନ୍‌ ଡୋଜ୍‌ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୪୧ ପ୍ରତିଶତ ଲୋକ ଏହି ପ୍ରିକସନ୍‌ ଡୋଜ୍‌ ନେଇଛନ୍ତି। ଏବେ ରାଜ୍ୟରେ କୌଣସି ଟିକା ଷ୍ଟକ୍‌ ନାହିଁ। ବିଭିନ୍ନ ବର୍ଗର ୧.୯୩ କୋଟି ନାଗରିକଙ୍କ ପାଇଁ ପ୍ରିକଶନ ଡୋଜ୍‌ ଆବଶ୍ୟକ ରହିଛି। ଏହି ପରିପ୍ରେକ୍ଷୀରେ ଟିକାକରଣରୁ ବଞ୍ଚତ୍ତ ଲୋକଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିବା ସହିତ ଆବଶ୍ୟକ ଟିକା ରାଜ୍ୟର ବିଭିନ୍ନ ସରକାରୀ ଟିକାକରଣ କେନ୍ଦ୍ରଗୁଡ଼ିକୁ ଯୋଗାଇଦେବାକୁ ମନ୍ତ୍ରୀ ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Share