ପାଟଣା,୧୯।୭(ସ୍ବ.ପ୍ର.): ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଓ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ମଙ୍ଗଳବାର କେନ୍ଦୁଝରରେ ବନ୍ଦ ପାଳନ କରାଯାଇଛି। ଏହିକ୍ରମରେ ଜିଲାର ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗାଠାରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ରାସ୍ତାରୋକୋ କରାଯାଇଛି। ସଙ୍ଗଠନ ପକ୍ଷରୁ କରାଯାଇଥିବା ଓଡିଶା ବନ୍ଦକୁ ସମର୍ଥନ ଜଣାଇ ସ୍ଥାନୀୟ ଦଧିବାମନ ଜିୟୁ କଲେଜର ଛାତ୍ରୀଛାତ୍ରମାନେ ମଧ୍ୟ ଏହି ରାସ୍ତାରୋକୋରେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, ର଼୍ୟାଗିଙ୍ଗରେ ଅତିଷ୍ଟ ହୋଇ ଆତ୍ମହତ୍ୟା କରିଥିବା ଛାତ୍ରୀ ରୁଚିକା ମହାନ୍ତିଙ୍କ ପରିବାରକୁ ଏଯାଏ ନ୍ୟାୟ ପ୍ରଦାନ କରାଯାଇନାହିଁ। ଏହାର ପ୍ରତିବାଦରେ ମଙ୍ଗଳବାର ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏଥିପାଇଁ ୪୯ ନମ୍ବର ଜାତୀୟ ରାଜପଥରେ ନବନିର୍ମାଣ ସଂଗଠନର କର୍ମକର୍ତ୍ତା ଓ ଛାତ୍ରୀଛାତ୍ର ବିକ୍ଷୋଭ ପ୍ରଦର୍ଶନ ସହ ରାସ୍ତାରୋକୋ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟକ ଗାଡି ମୋଟର ଅଟକି ରହିଛି।