ନବରଙ୍ଗପୁର ଅତିରିକ୍ତ ଉପଜିଲାପାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ପଡ଼ୋଶୀଙ୍କ ଛାତରୁ ମିଳିଲା ବିଡ଼ାବିଡ଼ା ଟଙ୍କା

ଭୁବନେଶ୍ୱର/ଭଦ୍ରକ,୨୩ା୬(ସତ୍ୟଜିତ ରାଉତ/ସନାତନ ରାଉତ): ନବରଙ୍ଗପୁର ଅତିରିକ୍ତ ଉପଜିଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଶୁକ୍ରବାର ପୂର୍ବାହ୍ନରେ ଭିଜିଲାନ୍ସର ଏକ ଟିମ୍‌ ଚଢ଼ାଉ କରିଛି। ଭୁବନେଶ୍ୱର, ନବରଙ୍ଗପୁର ସମେତ ଭଦ୍ରକର ବହୁଦରଡ଼ା ଗ୍ରାମର ବାସଭବନରେ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୯ଟି ଟିମ୍‌ ଏହି ଚଢ଼ାଉରେ ସାମିଲ ଅଛନ୍ତି।

ତେବେ ଏହି ଚଢ଼ାଉ ସମୟରେ ଭୁବନେଶ୍ୱରସ୍ଥିତ କାନନବିହାର ତଥା ପ୍ରଶାନ୍ତଙ୍କ ପଡ଼ୋଶୀଙ୍କ ଛାତ ଉପରୁ ବିଡ଼ାବିଡ଼ା ୫୦୦ ଟଙ୍କିଆ ନୋଟ୍‌ ମିଳିଛି। ତେବେ ଚଢ଼ାଉ ହେବାର ସୂଚନା ପାଇ ପ୍ରଶାନ୍ତ ତାଙ୍କ ପଡ଼ୋଶୀ ଛାତ ଉପରକୁ ଟଙ୍କା ଫୋପାଡ଼ି ଦେଇଥିବା ସୂଚନା ମିଳିଛି।

ମେଶିନ ଦ୍ୱାରା ଏସବୁ ନୋଟକୁ ଭିଜିଲାନ୍ସ ଟିମ୍‌ ଗଣିବା ପ୍ରକ୍ରିୟା ଜାରି ରଖିଛି। ଏହି ଟଙ୍କା ୨ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ଭିଜିଲାନ୍ସ ଆକଳନ କରୁଛି। ଭିଜିଲାନ୍ସ ଟିମ୍‌ ପକ୍ଷରୁ ଅଧିକ ଯାଞ୍ଚ ଜାରି ରହିଛି। ଏହି ଚଢ଼ାଉରେ ନିୟୋଜିତ ୯ଟି ଟିମ୍‌ରେ ଦୁଇ ଅତିରିକ୍ତ ଏସ୍‌ପି, ୭ ଡିଏସ୍‌ପି, ୮ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ରହିଛନ୍ତି।

Share