ଆଜି ନବରଙ୍ଗପୁର ବନ୍ଦ: ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ

ନବରଙ୍ଗପୁର,୩୦।୧(ସଦାଶିବ ପ୍ରହରାଜ):ନବରଙ୍ଗପୁର- ଜୟପୁର ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଗ୍ରହଣରେ ଅହେତୁକ ବିଳମ୍ବ କରୁଥିବା ଅଭିଯୋଗ କରିଛି ଭାଜପା। ଏହାର ପ୍ରତିବାଦ ଓ ଅନ୍ୟ ୬ଟି ଦାବିରେ ଭାଜପା ଯୁବମୋର୍ଚ୍ଚା ମଙ୍ଗଳବାର ନବରଙ୍ଗପୁର ଜିଲା ବନ୍ଦ ଡାକରା ଦେଇଛି। ବନ୍ଦର ପ୍ରଭାବ ସକାଳୁ ଦେଖାଦେଇଛି। ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ରହିଛି। ଫଳରେ ଗମନାଗମନରେ ଅସୁବିଧା ପରିଲକ୍ଷିତ ହୋଇଛି। ଦୋକାନ ବଜାର ବନ୍ଦର ରହିଛି। ଏହି ବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ୍‌ ଦିଆଯାଇଛି।
କେନ୍ଦ୍ର ସରକାର ନବରଙ୍ଗପୁରକୁ ଆକାଂକ୍ଷା ଜିଲାର ମାନ୍ୟତା ଦେଇ ଏହାର ସର୍ବାଙ୍ଗୀନ ଉନ୍ନତି ପାଇଁ ଅର୍ଥ ବ୍ୟୟବରାଦ କରୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଇଚ୍ଛା ଶକ୍ତି ଅଭାବ ଓ ବୈମାତୃକ ମନୋଭାବ ଯୋଗୁ ବର୍ତ୍ତମାନ ସୁଦ୍ଧା ଜିଲାର ବିକାଶ ହୋଇ ପାରୁନି ବୋଲି ଭାଜପା ଯୁବମୋର୍ଚ୍ଚା ଅଭିଯୋଗ କରିଛି। ଏହା ବିରୋଧରେ ମଙ୍ଗଳବାର ସକାଳ ୬ରୁ ସା ୬ଟା ପର୍ଯ୍ୟନ୍ତ ଜିଲା ବନ୍ଦ କରାଯିବ। ଖୁବ ଶୀଘ୍ର ଦାବି ପୂରଣ ନ ହେଲେ ଭବିଷ୍ୟତରେ ସଚିବାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Share