ଏନ୍‌ଏସି ଅଧ୍ୟକ୍ଷା ଅନାସ୍ଥା ନିର୍ବାଚନ ବାତିଲ: ପୁଣି ଏହି ଦିନ ହେବ ନିର୍ବାଚନ

ନୟାଗଡ଼/ଖଣ୍ଡପଡ଼ା,୧୮ା୯(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା):ନୟାଗଡ଼ ଜିଲା ଖଣ୍ଡପଡ଼ା ଏନ୍‌ଏସି ଅଧ୍ୟକ୍ଷା ଆରତୀ ପ୍ରଧାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ମଙ୍ଗଳବାର ବାତିଲ୍‌ ହୋଇଯାଇଛି। ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ରୋଜିନା ଦାସ ଅନୁପସ୍ଥିତ ରହିବାରୁ ନିର୍ବାଚନ ବନ୍ଦ ରହିଛି। ଭୋଟ ଗ୍ରହଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା।
ଏ ପରିପ୍ରେକ୍ଷୀରେ ନୟାଗଡ଼ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ପକ୍ଷରୁ ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ତେବେ ଅନାସ୍ଥା ଭୋଟ ପରିଚାଳନା ଦାୟିତ୍ୱରେ ଥିବା ନୟାଗଡ଼ ଅତିରିକ୍ତ ଜିଲାପାଳ ଦାସ ସରକାରୀ କାର୍ଯ୍ୟକ୍ରମରେ ନିୟୋଜିତ ରହିଥିବାରୁ ଅନାସ୍ଥା ଭୋଟକୁ ବାତିଲ କରାଗଲା ବୋଲି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ କୁମାର ଧଳ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକଙ୍କ ସମେତ ବିଜେଡିର ୭ ଜଣ କାଉନସିଲର ଏନ୍‌ଏସି କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ।

ଅନାସ୍ଥା ଭୋଟ ବାତିଲ ଘୋଷଣା ପରେ ବିଜେଡି କାଉନସିଲରମାନେ ଏନ୍‌ଏସି ଉପାଧ୍ୟକ୍ଷ ମିହିର କୁମାର ମିଶ୍ରଙ୍କ ନେତୃତ୍ୱରେ ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ କିଛି ସମୟ ପାଇଁ ନାରାବାଜି କରିବା ଯୋଗୁ ଉତ୍ତେଜନା ପ୍ରକାଶ ପାଇଥିଲା। କାର୍ଯ୍ୟାଳୟ ନିକଟରେ ଉପସ୍ଥିତ ଥିବା ପୋଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସମସ୍ତଙ୍କୁ ବୁଝାଶୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଅପରପକ୍ଷେ ଚଳିତ ମାସ ୨୭ ତାରିଖ ପୂର୍ବାହ୍ନ ୧୧ଟାରେ ଖଣ୍ଡପଡ଼ା ଏନ୍‌ଏସିି କନ୍‌ଫେରେନ୍ସ ହଲରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ହେବ ବୋଲି ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସୂଚନାଯୋଗ୍ୟ, ଖଣ୍ଡପଡ଼ା ଏନ୍‌ଏସିର ୧୩ କାଉନସିଲରଙ୍କ ମଧ୍ୟରୁ ୮ଜଣ କାଉନସିଲର ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ।