ସାଇକେଲରେ ବୁଲି ଲୋକଙ୍କ ସମସ୍ୟା ବୁଝୁଛନ୍ତି ଏନ୍‌ଏସି ନିର୍ବାହୀ ଅଧିକାରୀ

ଧାମନଗର, ୬।୧୨(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଏନ୍‌ଏସିରେ ନିକଟରେ ଯୋଗ ଦେଇଥିବା ନୂତନ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ ସାଇକେଲରେ ଓ୍ବାର୍ଡ ବୁଲି ଲୋକଙ୍କ ସମସ୍ୟା ବୁଝୁଛନ୍ତି। ୩/୪ ଦିନ ହେଲା ସେ ଏହି ଅଭିଯାନ ଆରମ୍ଭ କରିଛନ୍ତି। ଏକ ନୂଆ ସାଇକେଲ କିଣି ବିଭିନ୍ନ ୱାର୍ଡ ବୁଲି ନିର୍ମାଣାଧୀନ କାର୍ଯ୍ୟ ତଦାରଖ କରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରତ୍ୟେକ ଦିନ ସକାଳୁ ସେ ସାଇକେଲରେ ବିଭିନ୍ନ ୱାର୍ଡ ଓ ଘର ବୁଲି ଲୋକଙ୍କ ସମସ୍ୟା, ରାସ୍ତାଘାଟ, ଡ୍ରେନେଜ୍‌, ପାନୀୟ ଜଳ ଯୋଗାଣ ଓ ଉନ୍ନତୀମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ କେଉଁ ଲୋକ ଆବାସ ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ ତାହାର ମଧ୍ୟ ତଦାରଖ କରୁଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଏନ୍‌ଏସି ନିର୍ବାହୀ ଅଧିକାରୀ ନାୟକ କହିଛନ୍ତି, ପ୍ରତ୍ୟେକ ୱାର୍ଡର ଲୋକଙ୍କ ସମସ୍ୟା ବୁଝିବା ପାଇଁ ନିଜେ ଯିବେ। ଜନସାଧାରଣଙ୍କ ଦାବି ଅନୁସାରେ କାର୍ଯ୍ୟ କରିବେ।

Share