ମୁଷ୍ଟିମେୟଙ୍କ ହାତରେ ଏନ୍‌ଏସିର ଦୋକାନ ଗୃହ

ପଦ୍ମପୁର,୧୦।୮(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଏନ୍‌ଏସିର ଦୋକାନ ଗୃହ ମୁଷ୍ଟିମେୟଙ୍କ ହାତରେ ରହିଥିବା ସାଧାରଣରେ ଅଭିଯୋଗ ହେଉଛି। ନିଜେ ଦୋକାନ କରିବା ପାଇଁ ଏନ୍‌ଏସିଠାରୁ ନେଇ ନିଜେ ନ କରି ତାହା ଭଡା ସୁତ୍ରରେ ଅନ୍ୟ ଜଣଙ୍କୁ ଦେଇଦେଲେ। ଏହା ଜଣେ କି ୨ ଜଣର କଥା ନୁହେଁ, ଏଭଳି ଉପାୟରେ ଅନେକ ମୁଷ୍ଟିମେୟ ଲୋକ ଏନ୍‌ଏସି ଷ୍ଟଲକୁ ଭଡାରେ ଲଗାଇ ମାଲାମାଲ ହେଉଛନ୍ତି। ଏହି ତାଲିକାରେ ଅନେକ ଛାମୁଆ ନେତା, ବଡ ବ୍ୟବସାୟୀ ଥିବା ଜଣାପଡିଛି। ସବୁଠାରୁ ବଡ କଥା ହେଉଛି ଏହି ପ୍ରଭାବଶାଳୀ ତଥା ମୁଷ୍ଟିମେୟ ଲୋକ କେବଳ ଦୋକାନ ଗୃହ ନିଜ ଦଖଲରେ ରଖିଛନ୍ତି ତା ନୁହେଁ ମାସ ମାସ ଧରି ଭଡା ବି ଦେଉନାହାନ୍ତି। ଯେଉଁ ଥିରେ ଏନଏସିର ଭଡ଼ା ମାର୍ଚ୍ଚ ମାସ ସୁଦ୍ଧା ୧୦ ଲକ୍ଷ ଟଙ୍କା ଉପରେ ବକେୟା ଥିବା ସୂଚନା ମିଳିଛି। ଏଭଳି ସ୍ଥିତିରେ ନିଜେ ଦୋକାନ ନେଇ ଅନ୍ୟକୁ ଭଡା ଦେବା ପୌର ଆଇନକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରୁଥିବା ବେଳେ ପ୍ରଶାସନ ଚୁପ ବସିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ମିଳିଥିବା ତଥ୍ୟ ଅନୁସାରେ ପଦ୍ମପୁର ସହରରେ ଏନ୍‌ଏସିର ୧୭୯ଟି ଷ୍ଟଲ ଥିବା ବେଳେ ସେଥିମଧ୍ୟରୁ ୫ଟି ଷ୍ଟଲ ଓ ଗୋଟିଏ ଘର ଉପରେ ଅଦାଲତରେ ମାମଲା ଚାଲିଛି। ହସ୍ପିଟାଲ ରୋଡ, ଥାନା ଛକ, ବସ୍ତିରୋଡ, କଚେରୀ ପାର୍ଶ୍ୱ, ବିଜୁ କମ୍ପ୍ଲେକ୍ସ ଓ ତାର ପାର୍ଶ୍ୱରେ ଏହି ଦୋକାନ ଗୃହଗୁଡିକ ରହିଛି। ଏହାର ଭଡା ମୂଲ୍ୟ ୪୦୦ଟଙ୍କାରୁ ୧୫ ଟଙ୍କା ଥିବା ବେଳେ ମାସକୁ ଏନ୍‌ଏସି ୧ ଲକ୍ଷ ୪୭ ହଜାର ଟଙ୍କା ଭଡା ପାଉଛି। ବଜାର ମୂଲ୍ୟ ତୁଳନାରେ ଏହାର ଭଡା ବହୁତ କମ। କିନ୍ତୁ ଚିନ୍ତାର ବିଷୟ ହେଲା ଯେଉଁମାନେ ଦୋକାନ କରିବା ପାଇଁ ଭଡା ନେଇଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ଦୋକାନ ନ କରି ବରଂ ଚୁକ୍ତିନାମା ପରେ ତାହା ଭଡାରେ ଲଗାଇ ମାସିକ ରୋଜଗାରର ଏକ ମାଧ୍ୟମ କରିଦେଇଛନ୍ତି। ସ୍ଥାନର ଚାହିଦା ଅନୁସାରେ ୫ରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ନେଉଛନ୍ତି। ବର୍ଷ ବର୍ଷ ଧରି ଏହି ବେପାର ଚାଲୁଥିଲେ ମଧ୍ୟ କାହାରି ପାଖରେ ପ୍ରତିବାଦର ସ୍ବର ମଧ୍ୟ ବାହାରୁନାହିଁ। ଏନ୍‌ଏସିର ବିନା ଅନୁମତିରେ ଘର କୌଣସି ନିର୍ମାଣ ହୋଇପାରିବ ନି ବୋଲି ଚୁକ୍ତିପତ୍ରରେ ରହିଥିବା ବେଳେ ଅନେକ ବ୍ୟବସାୟୀ ଏହି ଷ୍ଟଲ ଭାଙ୍ଗି ନିଜ ମନମୁତାବକ ନିର୍ମାଣ କରୁଛନ୍ତି। ଅନେକ ସ୍ଥାନରେ ଦୁଇ ମହଲା କରିଥିବା ନଜିର ରହିଛି। ଏହି ତଥା କଥିତ ମୁଷ୍ଟିମେୟ ଉପରେ ପ୍ରଶାସନ କାହିଁକି ଅସହାୟ ହୋଇପଡିଛି ସେ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି।

Share