୨୨ ପରିବର୍ତ୍ତେ ୨୩ରେ କଳାହାଣ୍ଡି ଆସିବେ ନଡ୍ଡା

ଭୁବନେଶ୍ବର, ୨୧ା୬(ସୁନିତ୍‌ ମିଶ୍ର): ଭାଜପାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଓଡ଼ିଶା ଆସିବାକୁ ଥିବା କେନ୍ଦ୍ରୀୟ ନେତାମାନଙ୍କ ଗସ୍ତ କାର୍ଯ୍ୟକ୍ରମରେ ବାରମ୍ବାର ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳୁଛି। ପ୍ରଥମେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଢେଙ୍କାନାଳ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଥିଲା। ଗୁଜରାଟରେ ଲ୍ୟାଣ୍ଡଫଲ୍‌ କରିଥିବା ବାତ୍ୟା ବିପର୍ଯ୍ୟୟ ପାଇଁ ତାଙ୍କ ଗସ୍ତ ବାତିଲ ହୋଇଥିବା ସୂଚନା ଦିଆଯାଇଥିଲା। ଏହା ପୂର୍ବରୁ ମଧ୍ୟ ଶାହାଙ୍କ ଭଦ୍ରକ ଗସ୍ତ କାର୍ଯ୍ୟକ୍ରମ ଥିଲା, ହେଲେ ପରବର୍ତ୍ତୀ ସମୟରେ ବନ୍ଦ ହୋଇଥିବା ଜଣାପଡ଼ିଥିଲା। ସେହିପରି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଆସନ୍ତା ୨୨ରେ ଥିବା ସାଧାରଣ ସଭା କାର୍ଯ୍ୟକ୍ରମ ସୂଚୀରେ ପରିବର୍ତ୍ତନ ହୋଇଛି। ତାଙ୍କ ଓଡ଼ିଶା ଆସିବା ନେଇ ଦିଆଯାଇଥିବା ପୂର୍ବ ସୂଚନାରେ ଏବେ ପରିବର୍ତ୍ତନ ହୋଇଛି। ଶାହା ୨୨ ପରିବର୍ତ୍ତେ ୨୩ ତାରିଖରେ କଳାହାଣ୍ଡି ଯିବେ। ଅନିବାର୍ଯ୍ୟ କାରଣବଶତଃ ନଡ୍ଡାଙ୍କ ଗସ୍ତ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଥିବା କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା ସୂଚନା ଦେଇଛନ୍ତି।
ବସନ୍ତ କହିଛନ୍ତି, ଆସନ୍ତା ୨୩ ତାରିଖ ପୂର୍ବାହ୍ନ ୧୧ଟାରେ ନଡ୍ଡାଙ୍କ ସଭା ଅନୁଷ୍ଠିତ ହେବ। ଏହା ୨୨ ତାରିଖରେ ହେବାର ଥିଲା। ଏଥିଲାଗି ନଡ୍ଡା ୨୧ ତାରିଖ ରାତିରେ ଓଡ଼ିଶାରେ ପହଞ୍ଚିବାର ଥିଲା। ହେଲେ ଏବେ ସେ ୨୨ ରାତିରେ ଆସି ଝାରସୁଗୁଡ଼ାଠାରେ ପହଞ୍ଚିବେ। ଏହା ପରଦିନ ଭବାନୀପାଟଣା ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ଯୋଗଦେବେ। ସାଧାରଣ ସଭା ସରିବା ପରେ ସର୍କିଟ ହାଉସ୍‌ଠାରେ ବରିଷ୍ଠ ନାଗରିକଙ୍କୁ ତାଙ୍କର ଭେଟିବା କାର୍ଯ୍ୟକ୍ରମ ରହିଛି। ଏହାପରେ ଟାଉନ ହଲ୍‌ରେ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ନଡ୍ଡା ଭେଟିବେ ବୋଲି ବସନ୍ତ କହିଛନ୍ତି। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ସାରା ଭାରତରେ ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଜାରି ରହିଛି। ଏହି ୯ ବର୍ଷ ମଧ୍ୟରେ ଦେଶରେ ଜାରି ରହିଥିବା ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳତାକୁ ଭାଜପା ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ଭାଜପା ଅଧ୍ୟକ୍ଷ କଳାହାଣ୍ଡି ଆସୁଛନ୍ତି ବୋଲି ବସନ୍ତ କହିଛନ୍ତି।

Share