Advertisement

ନାଗା ଚୈତନ-ସାମନ୍ଥାଙ୍କ ଛାଡପତ୍ରକୁ ନେଇ ଉଠିଲା ଝଡ଼: ବର୍ଷିଲେ ନାଗାର୍ଜୁନ

ଅଭିନେତା ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଛାଡପତ୍ର ହୋଇଛି। ଉଭୟ ଆଗକୁ ବଢିଛନ୍ତି। ନାଗା ଏବେ ଅଭିନେତ୍ରୀ ଧୂଲିପାଲାଙ୍କୁ ଡେଟ୍‌ କରୁଛନ୍ତି। କିନ୍ତୁ ଏସବୁ ଭିତରେ ନାଗା ଏବଂ ସାମନ୍ଥାଙ୍କୁ ଛାଡପତ୍ରକୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର ଧରିଛି। ନାଗା ଏବଂ ସାମନ୍ଥାଙ୍କୁ ଛାଡପତ୍ର ପାଇଁ ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପୁଅ ତଥା ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ନେତା କେଟି ରାମା ରାଓଙ୍କ ହାତ ଥିବା ଦାବି କରିଛନ୍ତି ତେଲଙ୍ଗାନାର ଜଙ୍ଗଲ ମନ୍ତ୍ରୀ କୋଣ୍ଡା ସୁରେଖା। ଏହି ମନ୍ତବ୍ୟ ତୁରନ୍ତ ପ୍ରତ୍ୟାହାର କରି ନେବାକୁ ଦାବି କରିଛନ୍ତି ନାଗା ଚୈତନ୍ୟଙ୍କ ବାପା ତଥା ଭେଟେରାନ ତେଲୁଗୁ ଅଭିନେତା ନାଗାର୍ଜୁନ। ସେ କହିଛନ୍ତି, ମୁଁ ସମ୍ମାନନୀୟ ମନ୍ତ୍ରୀ ଶ୍ରୀମତୀ କୋଣ୍ଡା ସୁରେଖାଙ୍କ ମନ୍ତବ୍ୟକୁ ଦୃଢ ଭାବେ ନିନ୍ଦା କରୁଛି। ବିରୋଧୀମାନଙ୍କୁ ସମାଲୋଚନା କରିବାକୁ ରାଜନୀତିଠାରୁ ଦୂରେଇ ରହୁଥିବା ଫିଲ୍ମ ଷ୍ଟାରମାନଙ୍କ ଜୀବନକୁ ବ୍ୟବହାର କରନ୍ତୁ ନାହିଁ। ଦୟାକରି ଅନ୍ୟ ଲୋକଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦିଅନ୍ତୁ। ଆପଣ ଜଣେ ମହିଳା ହୋଇ ଓ ଏକ ଦାୟିତ୍ୱବାନ ପଦବୀରେ ଥାଇ ସୁଦ୍ଧା ଆମ ପରିବାର ବିରୋଧରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ଓ ଅଭିଯୋଗ କରିଛନ୍ତି, ତାହା ସଂପୂର୍ଣ୍ଣ ଭାବେ ଭିତ୍ତିହୀନ ଓ ମିଛ। ମୁଁ ଅନୁରୋଧ କରୁଛି, ଆପଣ ତୁରନ୍ତ ଆପଣଙ୍କ ମନ୍ତବ୍ୟ ପ୍ରତ୍ୟାହାର କରି ନିଅନ୍ତୁ। ସାଉଥ୍‌ ଫିଲ୍ମ ଷ୍ଟାର ଅଲ୍ଲୁ ଅର୍ଜୁନ ଏବଂ ଜୁନିଅର ଏନ୍‌ଟିଆର୍‌ ମଧ୍ୟ ଏହି ମନ୍ତବ୍ୟକୁ ନିନ୍ଦା କରିଛନ୍ତି।

ସୂଚନାଯୋଗ୍ୟ,ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ତେଲଙ୍ଗାନାର ଜଙ୍ଗଲ ମନ୍ତ୍ରୀ କୋଣ୍ଡା ସୁରେଖା ବିଆରଏସ ନେତା କେଟି ରାମା ରାଓଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ, ତାଙ୍କ (କେଟି ରାମା ରାଓ) ପାଇଁ ଅନେକ ଅଭିନେତ୍ରୀ ଫିଲ୍ମ ଇଣ୍ଡଷ୍ଟ୍ରୀ ଛାଡିଛନ୍ତି ଓ ଶୀଘ୍ର ବାହା ହୋଇପଡିଛନ୍ତି। କାରଣ କେଟି ରାମା ରାଓ ସେମାନଙ୍କ ବ୍ୟକ୍ତିଗତ ଜୀବନରେ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରୁଥିଲେ। ସେ ସେଲେବ୍ରିଟିମାନଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରୁଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share