Categories: ଜାତୀୟ

ନାଗା ପିପୁଲ୍‌ସ ଫ୍ରଣ୍ଟକୁ ଝଟକା, ଦଳ ଛାଡିଲେ ୨୧ ବିଧାୟକ, ଏନ୍‌ଡିପିପିରେ ହେଲେ ସାମିଲ

କୋହିମା,୩୦ ।୪: ନାଗାଲାଣ୍ଡରେ ଏକ ରୋଚକ ରାଜନୈତିକ ଘଟଣାକ୍ରମରେ ନାଗା ପିପୁଲ୍ସ ଫ୍ରଣ୍ଟ(ଏନପିଏଫ)ର ୨୧ ବିଧାୟକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିୟୋଙ୍କ ନ୍ୟାଶନାଲିଷ୍ଟ ଡେମୋକ୍ରେଟିକ ପ୍ରୋଗ୍ରେସିଭ ପାର୍ଟି(ଏନଡିପିପି)ରେ ସାମିଲ ହୋଇଛନ୍ତି । ଏନଡିପିପିର ପ୍ରବକ୍ତା ଏମ୍ ଆର ଜମିର କହିଛନ୍ତି ଏନପିଏଫର ଏହି ବିଧାୟକମାନେ ଦଳ ବଦଳାଇବା ପରେ ଏବେ ଦଳ ନିକଟରେ ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ କେବଳ ୪୨ ବିଧାୟକ ରହିଛନ୍ତି । ଏନପିଏଫ ନିକଟରେ ପୂର୍ବରୁ ୨୫ ବିଧାୟକ ଥିଲେ । ବିଧାନସଭାରେ ଏନପିଏଫ ନିକଟରେ ଏବେ ୪ ବିଧାୟକ ରହିଲେ ଓ ଭାଜପା ନିକଟରେ ୧୨ ଓ ନିର୍ଦ୍ଦଳୀୟ ୨ ବିଧାୟକ ରହିଲେ ।
ବିଧାନସଭା ଅଧ୍ୟକ୍ଷ ଶରିଂଗେନ ଲଂଗ୍ନକୁମାର ୨୧ ଏନପିଏଫ ବିଧାୟକ ଦଳ ବଦଳାଇବାର ନିଷ୍ପତ୍ତିକୁ ସ୍ୱୀକାର କରି ନେଇଛନ୍ତି । ବିଧାନସଭା ପକ୍ଷରୁ କୁହାଯାଇଛି କି ଏନଡିପିପିର ଅଧ୍ୟକ୍ଷଙ୍କ ନିକଟରୁ ଏକ ପତ୍ର ମିଳିଛି ଓ ଏହାକୁ ସ୍ୱୀକାର କରାଯାଇଛି । ରାଜ୍ୟରେ ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଥିବା ବେଳେ ୨ ଦିନ ପୂର୍ବରୁ ଏନପିଏଫ ଅଧ୍ୟକ୍ଷ ଖବରଦାତାଙ୍କୁ କହିଥିଲେ କି ତାଙ୍କ ଦଳ ରାଜ୍ୟରେ ଏକାକି ନିର୍ବାଚନ ଲଢିବ, ଏହାପରେ ବିଧାୟକମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି ।

Share